34.1 C
Bhubaneswar
Friday, March 29, 2024
Homeଓଡିଶାଦୁଇ ଆଖି ହରାଇଛନ୍ତି ତଥାପି ରହିଛି ସହଯୋଗ କରିବାର ନିଶା ସରକାରୀ ସହାୟତା ଅପେକ୍ଷାରେ ଅନନ୍ତ

ଦୁଇ ଆଖି ହରାଇଛନ୍ତି ତଥାପି ରହିଛି ସହଯୋଗ କରିବାର ନିଶା ସରକାରୀ ସହାୟତା ଅପେକ୍ଷାରେ ଅନନ୍ତ

ମୁନିଗୁଡା : ଆଖି ସିନା ଦୁଇଟା ଚାଲିଯାଇଛି ମାତ୍ର ମନରେ ଭରିରହିଛି ଅନେକ କିଛି କରିବାର ଉତ୍ସାହ । ଯାହାକୁ ପାଥେୟ କରି ସେ ଚାଲିଛନ୍ତି ଆଜି ପର୍ଯ୍ୟନ୍ତ । ମାତ୍ର ତାଙ୍କ ପାଖରେ ନାହିଁ କିଛି ଆର୍ଥିକ ସମ୍ବଳ । ତେଣୁ ତାଙ୍କୁ ସରକାରୀ ସାହାଯ୍ୟ କିଛି ଯୋଗାଇଦେଲେ ସେ କିଛି କରିପାରନ୍ତେ ବୋଲି କହିଛନ୍ତି ଭିନ୍ନକ୍ଷମ ଅନନ୍ତ ।
ଅନେକ ଘାତପ୍ରତିଘାତ ଆଉ ସମସ୍ୟାକୁ ସାମ୍ନାକରି ଆଠ ବର୍ଷ ବୟସରେ ହାଡଫୁଟିରେ ଆକ୍ରାନ୍ତ ହୋଇ ଆଖି ଦୁଇଟି ନଷ୍ଟ ହୋଇଯାଇଛି । ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ନିୟମଗିରି ପାହାଡ଼ ପାଦ ଦେଶରେ ପାଯିବାଲି ଛୋଟ ଗାଁରେ ଭିନ୍ନକ୍ଷମ ଅନନ୍ତଙ୍କ କ୍ଷେତ୍ରରେ । ଅନନ୍ତଙ୍କୁ ଯେତେବେଳେ ୮ ବର୍ଷ ଗାଁରେ ହାଡଫୁଟି ରୋଗ ବ୍ୟାପିଥାଏ । ଆଦିବାସୀ ଲୋକେ ଡାକ୍ତର ପରିବର୍ତ୍ତେ ବଣର ଚେରମୁଳି ନଚେତ ବୁଢ଼ି ଠାକୁରାଣୀ ଉପରେ ବିଶ୍ୱାସ ରଖିଥାନ୍ତି । ସାନମାଝୀର ଛୋଟ ପୁଅ ଅନନ୍ତକୁ ସେହି ରୋଗ ହୋଇଥିଲା । ଚିକିତ୍ସା ଅବହେଳାରୁ ଆଖି ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । କିଛିଦିନ ପରେ ବାପା ସାନମାଝୀ ମଧ୍ୟ ଅଜଣା ରୋଗରେ ସ୍ୱର୍ଗବାସ ହୋଇଗଲେ । ନିରୁପାୟ ମା’ ଅନ୍ଧ ପୁଅକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁହୋପରେ ଓ ଅନ୍ୟ ଦୁଇ ପିଲାଙ୍କୁ ନିକଟସ୍ଥ ପିଉସୀ ଘରେ ଛାଡ଼ିଦେଇ ନିଜେ ଅନ୍ୟତ୍ର ବିବାହ ହୋଇଗଲେ । ସମୟର କରାଳ ଚକ୍ର ପରିବାରର ସଭିଁକୁ ଅଲଗା ଅଲଗା କରିଦେଲା । ହେଲେ ବଡ଼ପୁଅ ଅନନ୍ତ ଝୁରିହେଉଥିଲା ତା\’ବାପା-ମା’,ଆଉ ଭାଇଭଉଣୀକୁ । ଯିଏ ଜନ୍ମରୁ ଅନ୍ଧ ତା\’ଦୁଃଖ ଅଲଗା, ହେଲେ ଯିଏ ଦିନେ ସବୁ କିଛି ଦେଖିଥିଲା ହଠାତ ଅନ୍ଧ ହୋଇଗଲା ସେ ଏ ଦୁଃଖକୁ ସହଜରେ ହଜମ କରି ପାରିବନି । ଅନନ୍ତ ନ୍ୟୁହୋପ ଅନୁଷ୍ଠାନରେ ଦୀର୍ଘ ୨୦ବର୍ଷ ରହି ଜୀବନ ଯନ୍ତ୍ରଣା ସହ ଅହରହ ସଂଘର୍ଷ କରିଛି । ନିଜେ କିଛି କରିବ, କାହାର ବୋଝ ହେବନି, ଅନ୍ୟକୁ ସାହାରା ଦେବ ଏଇ ମନ୍ତ୍ର ପିଲାଦିନୁ ଅନନ୍ତ ଅନ୍ତରରେ ଝଙ୍କୃତ ହେଉଥିଲା । ସେଠାରେ ସେ ଅନ୍ଦାଜରେ ଅଦ୍ଭୁତ କାମମାନ କରୁଥିଲା । ମୋବାଇଲ ନମ୍ବର ଶୁଣି ନିଜେ ଡାୟଲ କରିବା, ନିଜକାମ ସହ ଅନ୍ୟକୁ ସହଯୋଗ କରିବା ସହ ଯାନ୍ତ୍ରିକ କାମରେ ମନ ଲଗାଉଥିଲା । ସାଇକେଲ ମରାମତିରେ ଅତି ନିପୁଣ ହୋଇ ସେ ନିଜ ଗାଁ ପାଯିବାଲିକୁ ଫେରିଆସି ଏକ ସାଇକେଲ ରିପାୟାରିଂ ଦୋକାନ ଖୋଲିଲା । ପ୍ରଥମେ ଏ ବିଷୟ ଶୁଣି ସ୍ଥାନୀୟ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସହାୟତାର ହାତ ବଢ଼ାଇ ୩୦ହଜାର ଟଙ୍କାର ସାଇକେଲ ରିପାୟାରିଂ ସାମଗ୍ରୀ ଅନନ୍ତକୁ ଯୋଗାଇ ଦେଇଥିଲେ । ପାହାଡ଼ି ଝରଣା ରାସ୍ତା ପାଇଗଲେ ଯେପରି କ୍ଷୀପ୍ର ଗତିରେ ଆଗକୁ ମାଡି ଚାଲେ, ସେହିପରି ସହଯୋଗ ମିଳିଲା ପରେ ଅନନ୍ତ ଆଉ ପଛକୁ ଚାହିଁନି । ପ୍ରଥମେ ଅନ୍ଧ ଲୋକ ଭାବି କେହି ଆସୁ ନଥିଲେ, ପରେ ଅଦ୍ଭୁତ ମରାମତି ଦେଖି ଏବେ ନିକଟସ୍ଥ ବାଟୁଡି, ପାଣିମୁଣ୍ଡା, ଯାର୍ଥା, କେଶରପାଡି, ସରାବାଲି ଆଉ ନିଜ ଗାଁ ପାଯିବାଲିର ଲୋକେ ସାଇକେଲ ମରାମତି ପାଇଁ ଆସୁଛନ୍ତି । ଦିନକୁ ୩୦୦/୪୦୦ହେଉଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସବୁ ଥାଇ ଅନେକ ମଣିଷ ନିଜକୁ ବେକାର, ଅକ୍ଷମର ପରିଚୟ ଦେଉଥିବା ବେଳେ ପିଲାଟି ଦିନରୁ ଅନ୍ଧତ୍ୱ ଓ ଦରିଦ୍ରତା ସହ ଲଢ଼ିଲଢ଼ି ନିଜକୁ ସକ୍ଷମ ଭାବେ ଗଢିଥିବା ଅନନ୍ତ ଆଜି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ । ଆଜି ମାସକୁ ଭତ୍ତାରେ ସେ ୭୦୦ଟଙ୍କା ପାଉଛି । ତିନି ଚକିଆ ସାଇକେଲ ଖଣ୍ଡେ ପାଇଁ ବହୁ ବର୍ଷ ପୂର୍ବରୁ ରାୟଗଡା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଥିଲା,ମିଳିବାର ପ୍ରତିଶୃତି ପାଇଥିଲା । ସେସମୟର ଜିଲ୍ଲାପାଳ ମାଡାମ ବଦଳି ହୋଇ ଗଲାପରେ ସେ ଆଉ କାହାରିକୁ ଗୁହାରି କରି ନାହାନ୍ତି । ଅନନ୍ତ ସାଇକେଲ ସାମଗ୍ରୀ ଆଣିବାପାଇ ଟେମ୍ପୁ ଭଡା କରି ଏକା ମୁନିଗୁଡା ବଜାର ଆସୁଛନ୍ତି । ଅନନ୍ତର ଘର ଖଣ୍ଡେ ନାହିଁ ବୋଲି ସେ ଆଜି ପର୍ଯ୍ୟନ୍ତ ଭାଇ ଭଉଣୀ ସହ ପିଉସୀ ଘରେ ରହୁଛି । ଘରଖଣ୍ଡେ ପାଇଁ ପଞ୍ଚାୟତରେ ଅନେକ ବାର କହିଛି । ମିଳିଯିବ ବୋଲି ତିନି ବର୍ଷ ହେବ ଶୁଣୁଛନ୍ତି । ସରକାରୀ ବ୍ୟାଙ୍କରୁ ଯଦି ତାଙ୍କୁ ଋଣ ମିଳନ୍ତା ତେବେ ସେ ତାଙ୍କ କାରବାରକୁ ଆହୁରି ବଢାଇ ପାରନ୍ତେ ବୋଲି ସେ କହିଥିଲେ । ନିଜକୁ କେବେ ଅକ୍ଷମ ନଭାବି, କାହା ଉପରେ ବୋଝ ନହୋଇ ଅନନ୍ତ ନିଜେ ସକ୍ଷମ ହେବାର ଯେଉଁ ସୁନ୍ଦର ରାସ୍ତା ବାଛି ନେଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏହି ଯୁବକଟିକୁ ଟିକିଏ ସାହାରା ଦେଲେ,ତାଙ୍କୁ ସହଯୋଗ କଲେ ସେ ଆଗକୁ ଉନ୍ନତି କରିପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking