କାହାଣୀ ଜଣେ ବୁଢା ବାପାଙ୍କର…(ସୋଶାଲ ମିଡ଼ିଆ ରୁ )

ସମ୍ପର୍କର ଓଜନ।

ବେଙ୍ଗାଳୁରୁ ଆସିବାର ପନ୍ଦର ଦିନ ହୋଇଗଲାଣି। ଆଉ ମନ ଲାଗୁନଥାଏ। ସନ୍ଧ୍ୟାରେ ଆପାର୍ଟମେଂଟ ଚାରିପଟେ ଚାରି ପାଞ୍ଚ ଘେରା ବୁଲି ଆସି ପାଖରେ ଥିବା ସିମେଣ୍ଟ ବେଞ୍ଚ ରେ ବସିଲି।ଧିରେ ଧିରେ ପବନ ବହୁଥିଲା। ମୋବାଇଲ ଫୋନ ପକେଟରୁ କାଢ଼ି ହାତରେ ଧରି ଫେସବୁକ ଚେକ୍ କରିବା ପାଇଁ ଲାଗିଗଲି। ପାଖରେ ଜଣେ ବୟସ୍କ ଲୋକ କେତେବେଳେ ଆସି ବସିଗଲେଣି ସିଆଡ଼କୁ ମୋର ଖିଆଲ ନାହିଁ।
କିଛି ସମୟ ପରେ କେହି କାନ୍ଦୁ ଥିବାର ଶୁଭିଲା। ଆଖି ଉଠେଇ ଅନେଇଲି। ସେଇ ବୁଢା ଜଣକ ଧକେଇ ଧକେଇ କାନ୍ଦୁଥିବାର ଦେଖିଲି। ତାଙ୍କ ପାଖକୁ ଘୁଞ୍ଚି ବସିଲି। ସମ୍ଭାଳି ନପାରି ହିନ୍ଦୀ ରେ ପଚାରିଲି, ” ବାବୁଜୀ, ଅଗର ଇଜାଜତ୍ ହୋ ତୋ ଏକ ବାତ୍ ପୁଛୁଁ?”(ମଉସା,ଯଦି କିଛି ମନେ ନ କରନ୍ତି ଗୋଟିଏ କଥା ପଚାରିବି?)
ସେ ଆଖିରୁ ଲୁହ ପୁଛିନେଲେ  ଦୁଇ ହାତରେ। ସଳଖି ବସିଲେ ଏବଂ ଶୁଦ୍ଧ ଓଡ଼ିଆ ରେ ଉତ୍ତର ଦେଲେ,” ସାର୍, ଆପଣ ସେଦିନ ପିଲାମାନଙ୍କ ସାଥିରେ ଓଡ଼ିଆ ରେ କଥା ହେଉଥିଲେ। ତେଣୁ ଆପଣଙ୍କୁ ଓଡ଼ିଆ ବୋଲି ଭାବି ଟିକିଏ ସାହାଯ୍ୟ ପାଇଁ ଆପଣଙ୍କୁ ହିଁ ଖୋଜୁଥିଲି। ଯାହା ହଉ ଆପଣ ମିଳିଗଲେ।”
“ମତେ ସାର୍ କହିବେନି। ଆପଣ ମୋର ଗୁରୁଜନ ହେବେ। ମୁଁ ଭୁବନେଶ୍ୱର ରେ ରହେ।ପିଲାମାନଙ୍କ ପାଖକୁ ବୁଲି ଆସିଛି।ଏଇ କେତେ ଦିନ ଭିତରେ ଇ ମୁଁ ପୂରାପୂରି ବୋର ହୋଇ ଗଲିଣି। ”
ବୃଦ୍ଧ ଜଣଙ୍କ ଟିକିଏ ସାଷ୍ଟମ ହୋଇ ସାରିଥିଲେ ସେତେବେଳକୁ।
କହିଲେ, ” ମୁଁ କିନ୍ତୁ ଏ ଜନ୍ତାରୁ ଆଉ ବାହାରି ପାରିବାର ଆଶା ନାହିଁ। ବୁଢ଼ୀ ଥିଲା ବେଳେ କେତେ କରି କହିଥିଲା। ‘ ଦେଖ,ପୁଅ ବୋହୂ ଙ୍କ କଥାରେ ପଡ଼ି ଭୁବନେଶ୍ୱର ର ଘର ବିକିବନି।ସେ ଥିଲା ବେଳେ ବିକି ନ ଥିଲି। ସେ ଚାଲିଗଲା ପରେ ଏକୁଟିଆ । ବାହାରୁ ଘର କୁ ଫେରିଲେ କେହି  ଅପେକ୍ଷା କରି ନାହିଁ। କବାଟ ଖୋଲି ପାଛୋଟି ନେବାପାଇଁ ବି କେହି ନାହିଁ। ବେଳେ ବେଳେ ଖିଟ୍ ଖିଟ୍ ହେଲେ ବି ବୁଢ଼ୀ ଟା ମୋ ସେବାରେ କେବେ ଅବହେଳା କରିନି। ପୁଅ ର ପାଠପଢା ପାଇଁ ଗାଁର ଜମି ବାଡ଼ି ବିକି ଦେଇ ଥିଲୁ। ଚାକିରୀ ପଇସା ରେ ବେଶ୍ ଚଳି ଯାଉଥିଲା ଆମର। ପୁଅ ର ପାଠ ପଢା ପାଇଁ ବି ଦି’ ପଇସା ପଠେଇ ପାରୁଥିଲି। ଏ ଭିତରେ ମୋର ଚାକିରୀ ରୁ ରିଟାୟରମେଣ୍ଟ୍ ହୋଇଗଲା।ପୁଅର ବି ଚାକିରୀ ହୋଇଯାଇଥାଏ। ଆମେ ବୁଢ଼ା ବୁଢ଼ୀ ଢେର ଖୁସି ହେଇ ମନ୍ଦିରରେ ଦିଅଁଙ୍କ ପାଖରେ ପ୍ରସାଦ ଚଢେଇଥିଲୁ। ପୁଅ ର ବିଭାଘର ବି କରେଇ ଦେଲୁ। ସବୁ କିଛି ଭଲରେ ଚାଲିଥିଲା। ଆମେ ମଝିରେ ମଝିରେ ଆସି ପୁଅ ବୋହୁ ଙ୍କ ପାଖରେ ମାସେ ପନ୍ଦର ଦିନ ରହି ପଳେଇ ଯାଉଥିଲୁ।
ଏମିତି ସମୟରେ ବୁଢ଼ୀ ପାଚିଲା ବାଳରେ ସିନ୍ଦୂର ଲଗେଇ ସେ ପାରିକି ଚାଲିଗଲା।ବଡ଼ ପୂଣ୍ୟ କରିଥିଲା। ମତେ ଯାହା ଖାଲି ଅଧା ନଈ ରେ ଛାଡ଼ି ଦେଇଗଲା।
ଆମର ତ ଗୋଟିଏ ବୋଲି ପୁଅ। ବୁଢ଼ୀ ଗଲା ପରେ ପୁଅ, ବୋହୂ ଦିହେଁ ଲଗେଇଲେ, “ବାପା , ଭୁବନେଶ୍ୱର ର ଘର ବିକିଦିଅ।ଏଠି ଗୋଟିଏ ଫ୍ଲାଟ କିଣି ସମସ୍ତେ ସାଙ୍ଗରେ ରହିବା। ବୋଉ ସିନା ପୁରୁଣା କାଳିଆ ବୁଦ୍ଧି ଧରି ଭୁବନେଶ୍ୱରକୁ ଜାବୁଡି ଧରି ବସିଲା। ତମେ ତ ସବୁ ବୁଝ। ଘର ବିକ୍ରି ଟଙ୍କା ଟା ମିଳିଗଲେ ବାକି ଟଙ୍କା ବ୍ୟାଙ୍କ ରୁ ଋଣ ମିଳିଯିବ। ତମର ଆଉ ନ’ଟା ନା ଛ’ଟା ଅଛନ୍ତି ଯେ ସେମାନଙ୍କ ମୁହଁକୁ ଚାହିଁ ପଡ଼ି ରହିବ ସେଠି!! ଯାହା କରିବା କଥା ଆମେ କରିବୁ। ”
ଆଉ ମନା କରି ପାରିଲିନି। ଘରଟା ଶାଗ ମାଛ ମୂଲ ରେ ବିକ୍ରି ହେଇଗଲା। ଏଠାକୁ ଚାଲି ଆସିଲି ଜୀବନର ବାକି କେଇଟା ଦିନ ଶାନ୍ତି ରେ କାଟି ଦେବି ବୋଲି।
ମୁଁ ମଝିରେ ମଝିରେ ହୁଁ, ହାଁ କରୁଥାଏ।
ବୁଢା କହି ଚାଲିଲେ,”ଘରେ ଆସି ଦେଖେ, ପାଇଖାନା ଘର ଭିତରଟା ନର୍କପୂରୀ ଠୁ ବିଶେଷ କିଛି ଭଲ ଦେଖାଯାଉ ନଥିଲା।ମୋହରି ପୁଅ ବୋହୂ ଙ୍କ ମଇଳା ତ! ସାନ ବେଳେ ପୁଅ କେତେ ଥର ମୋ ମୁହଁ ରେ ମୁତିଥିବ। ଛାତି ରେ ଝାଡା ଯାଇଥିବ। ସେତେବେଳେ ଯଦି ଘୃଣା ନ କଲି ତେବେ ଏବେ କାହିଁକି?
ଲାଗି ପଡ଼ିଲି ପାଇଖାନା ଘରଟାକୁ ସଫା କରିବା ପାଇଁ। ଚଟାଣ ଠାରୁ ଆରମ୍ଭ କରି ଚାରି ପଟ କାନ୍ଥ ଯେତେ ପର୍ଯ୍ୟନ୍ତ ହାତ ପାଇଲା ସଫା କରି ଚାଲିଲି। ପାଖ ଦୋକାନ ରୁ ଏସିଡ ଆଣି ପାଣିରେ ମିଶେଇ ଭଲ କରି ଛିଣ୍ଡା କପଡ଼ା ରେ ଘସିଲି।ମଇଳା ବହୁତ ଦିନ ଧରି ସଫା ହୋଇ ନଥିଲା।ତେଣୁ ଚଟାଣ ଆଉ କାନ୍ଥ ମଇଳା ପିଇଯାଇଥିଲେ। ଦୁଇ ତିନି ରଗଡ଼ ପରେ ନୂଆ ଭଳି ସଫା ଦେଖାଗଲା ପାଇଖାନା ଘରଟା। ବୋହୁ ଆସି ଦେଖି ଖୁସି ହୋଇ ଗଲା।
“ବାପା, ତମେତ ବଢିଆ ସଫା କରିଦେଲ।ଆଉ ଏଠା ଲୋକଙ୍କ ନବାବି ଦେଖ।ଯେତେ ଟଙ୍କା ଦେଲେ ବି ଏଇ ଟିକିଏ କାମ କରିବା ପାଇଁ ନାରାଜ।ତମେ ବାପା ଏଣିକି ମଝିରେ ମଝିରେ ଟିକିଏ ସଫା କରିଦବ ଯେ ଆଉ ଏତେ ବେଶି ମଇଳା ହବନି କି ଏତେ ପରିଶ୍ରମ କରିବାକୁ ପଡ଼ିବନି।” ବୋହୁ ର ମୁହଁକୁ ଅନେଇ କିଛି କହିପାରିଲି ନାହିଁ।କିନ୍ତୁ ମତେ କାହିଁକି ଟିକିଏ ଅସହଜ ଲାଗୁଥାଏ।
ସନ୍ଧ୍ୟାରେ ପୁଅ ଫେରିଲା। ସମସ୍ତେ ମିଶି ଚା’ ଖାଇଲୁ।
ପୁଅ ପାଇଖାନା ରୁ ଫେରି ଆସି ବୋହୁକୁ ପଚାରିଲା।ପାଇଖାନା ଟା ଏଡ଼େ ସୁନ୍ଦର କିଏ ସଫା କଲା? ଚାକରାଣୀ ତାହେଲେ ଏତେ ଦିନ ପରେ ଯାଇ ସଫାକଲା।ବାପା ଆସିଲେ କଣ ଭାବିବେ ବୋଲି ଚିନ୍ତା କରୁଥିଲି।ଯାହା ହେଉ ଭଲ ହେଲା ସଫା ହୋଇ ଯାଇଛି। ବୋହୁ କହିଉଠିଲା,”ତମର ସେ ନବାବଜାଦୀ ଚାକରାଣୀ କେବେ ପାଇଖାନା ଭିତରକୁ ପଶିଲାଣି ନା ଆଜି ପଶିବ? ବାପା ଆସିଗଲେଣି।କଣ ଭାବିବେ ବୋଲି ମତେ ଜମାରୁ ଭଲ ଲାଗୁନଥିଲା। ତମେ ଅଫିସ୍ ଯିବା ପରେ ଆପାର୍ଟମେଂଟ ତଳକୁ ଗଲି।ଗେଟ୍ ବାହାରକୁ ଯାଇ ସେ କୋଣ ର ବୁଢ଼ା ଦୋକାନ ରୁ ଏସିଡ୍ ବୋତଲେ କିଣି ଆଣିଲି। ପୂରା ଘଣ୍ଟେ ଲାଗିଲା। ଘଷି ଘଷି ସାରାଟା ପାଇଖାନା ସଫା କଲି।ଅଣ୍ଟା ପିଠି ବଥା। କଣ କରିବି, ନ କଲେ ନ ହୁଏ।”
ବୋହୁ ର କଥା ଶୁଣି ପୁଅ ଖୁସି ହୋଇଗଲା।
କିନ୍ତୁ ବୋହୁ କଥା ଶୁଣି ମୋ କାନମୁଣ୍ଡା ଝାଇଁ ଝାଇଁ କରିଗଲା। ମଣିଷ ଏତେ ମିଛ କହିପାରେ! କିଛି କହି ପାରିଲିନି।କିନ୍ତୁ ମନଟା ଖରାପ ହୋଇଗଲା।
ଖାଇବା ପିଇବା ରେ ପ୍ରଥମ ରୁ ଇ ମୋର ବଡ଼ ଅସୁବିଧା। ବୋହୁ ଅଧାରୁ ବେଶି ଦିନ ରୋଷେଇ କରେନା। କଣ ସବୁ ବାହାରୁ ମଗାନ୍ତି। କିଏ କିଏ ସବୁ ଘରେ ଆଣି ଖାଇବାର ଦେଇଯାନ୍ତି। ମୋଟା ମୋଟା ନାଲି ଚକୁଳି ଭଳି। ପିଜା ବୋଲି କହେ ବୋହୁ।ମତେ ଥରେ ଦେଇଥିଲେ। ବଡ଼ କଷ୍ଟରେ ଖଣ୍ଡେ ଖାଇଲି। ମୋଟେ ଭଲ ଲାଗିଲାନି ମତେ।ଆହୁରି କଣ କଣ ସବୁ ମଗାନ୍ତି।ମତେ ସେ ସବୁ ଆଦୌ ଭଲ ଲାଗେନା।ମୁଁ ମୋ ପେନସନ ଟଙ୍କାରେ ଘର ପାଇଁ ପନିପରିବା, ଫଳ ମୂଳ, ମାଛ,ମାଂସ ଆଣେ। କିନ୍ତୁ କଣ ହୁଏ ସେ ଫଳମୂଳ ର କେଜାଣି ମୋ ଭାଗକୁ କାହିଁ ଖଣ୍ଡେ ଅଧେ ବି ଜୁଟେନା। ମୋ ପାଇଁ ଗଣ୍ଡେ ଚାଉଳ ଫୁଟେଇଦେଇ ଏଣୁ ତେଣୁ କଣ ଆଳୁ,ବାଇଗଣ, ଭେଣ୍ଡି ଗୋଟିଏ ଅଧେ ପୋଡ଼ା ପୋଡ଼ି କରିଦେଲେ ଚଳି ଯାଆନ୍ତା।  ରୁଟି ଦି’ଟା ସେକି ଦେଲେ ବି ପିଆଜ, କଞ୍ଚା ଲଙ୍କା ଲଗେଇ ଖାଇ ନିଅନ୍ତି।କିନ୍ତୁ ମୋ କଥା କେହି ଟିକିଏ ଚିନ୍ତା କଲେ ତ! ରାତିରେ କିଛି ନ ଖାଇ ଅନେକ ଥର ଶୋଇଛି।ନିଦ ହୁଏନା।ବୁଢ଼ୀ କଥା ବଡ଼ ମନେ ପଡେ।ସେ ଥିଲା ବେଳେ କେବେ ଗୋଟିଏ ବି ଦିନ ଏମିତି ଯାଇନଥିବ ମୁଁ କିଛି ନଖାଇ ଶୋଇଥିବି।ଘର କରିକି କାହା ଘରେ କଳିକଜିଆ ନ ହୁଏ?ଆମର ଯେତେ ଝଗଡା ହେଲେ ବି ପଛରେ ଲାଗିଥିବ ଜୋକ ଟିଏ ଭଳି, ଯେମିତି ହେଉ ଗଣ୍ଡେ ନ ଖୁଆଇ ବୁଢ଼ୀ ଶୋଇବା ପାଇଁ ଦେଇଛି, ଏମିତି କେବେବି ହୋଇ ନଥିବ।
କିନ୍ତୁ ଏବେ ତ ରାତିରେ ଖାଲି ପେଟରେ ଶୋଇବା ମୋର ଅଭ୍ୟାସ ରେ ପଡ଼ିଗଲାଣି।
ଯାହା ବି ଟାଣି ଓଟାରି ଚଳି ଯାଉଥିଲା ଏବେ ନାତି ଛୁଆର ଜନ୍ମ ପରେ ମୋ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ନାତିର ଗୁହ ମୁତ ସବୁ ପୋଛିବି। ହଁ ବାବୁ, ସେଥିପାଇଁ ମୋର ଜମା ଘୃଣା ନାହିଁ। ତା’ ବାପର ମଳମୁତ୍ର ସଫା କରିବା ପାଇଁ ବୁଢ଼ୀର ସାହାଯ୍ୟ କରୁଥିଲି।ବୁଢ଼ୀ ଉପରକୁ ବିରକ୍ତ ହେଉଥିଲେ ମଧ୍ୟ ଭିତରେ ଭିତରେ ଖୁସି ହେଉଥିଲା। ନାତି ତ ଆମ ରକ୍ତ ର । ତାର କାମ ଟିକିଏ କରିବା ପାଇଁ ଘୃଣା ଲାଗିବ କାହିଁକି? ନାତିଆ ଟାକୁ  ଧରିବା ପାଇଁ ମନ କଲା।ଟିକିଏ କୋଳେଇ ନେଲି।ବୋହୂ ଆଖିରେ ପଡ଼ିଗଲା ଯେ ମୋ ହାତରୁ ଛଡେଇନେଲା। ଚଉଦ ପୁରୁଷ ଓଝାଳି ଥୋଇଦେଲା ସେ।
” ତମେ ମୋ ପୁଅକୁ ଧରିବନି। ନିଜର ଠିକଣା ନାହିଁ। ଦେହରୁ,ମୁଣ୍ଡରୁ ଦୁର୍ଗନ୍ଧ ବାହାରୁଛି। ପିଲାଟାର ଦେହ ଖରାପ ହୋଇଯିବ।”
ମୋ ମୁଣ୍ଡ ଝିମ୍ ଝିମ୍ କରିଗଲା। ଏଇନା ସେଇ ବୋହୂ! ଯାହାକୁ ବାହା ହେବା ପାଇଁ ପୁଅ ଜିଦ୍ ଧରିଥିଲା।ତା ବୋଉ ରୋକଠୋକ ମନା କରୁଥିଲା, ଆମ ଜାତିର ନୁହେଁ, ତା’ଛଡ଼ା ଝିଅ ଟିର ଲକ୍ଷଣ କାଳେ ତାକୁ ଭଲ ଲାଗୁନଥିଲା। ମୁଁ କିନ୍ତୁ ଏ ଜାତି, ଫାତି ରେ ବିଶ୍ୱାସ କରୁନଥିଲି,ଏବେବି କରେନା। ଆଉ, କିଏ ଭଲ ଆଉ କିଏ ମନ୍ଦ ଥରେ ଦେଖିଦେଇ ବା କେମିତି ଜାଣି ହେବ! ବୁଢ଼ୀର କଥା କୁ ବାଏଂ ବାଏଂ ଉଡେଇ ଦେଇ ପୁଅର ଇଚ୍ଛା ଅନୁସାରେ ବିଭାଘର କରେଇ ଦେଲି । ବୁଢ଼ୀ ଥିଲା ବେଳେ ସେ ଚଳେଇ ନେଉଥିଲା। ମତେ ମନେ ହେଉଥିଲା ଯେମିତି ବୁଢ଼ୀ ବୋହୂର ଅନେକ କଥା ମୋ ପାଖରୁ ଲୁଚଉଥିଲା। ସେ ଥିବା ପର୍ଯ୍ୟନ୍ତ ସାହିପଡିଶା ତ ଦୂରର କଥା ଘର ଭିତରେ ଥାଇ ମଧ୍ୟ ମୁଁ ବୋହୂ ର ଗୁଣକୀର୍ତ୍ତି କିଛି ଜାଣିପାରି ନଥିଲି।
ଟିକିଏ ଜାଣି ଥିଲେ ହୁଏତ ଘରଦ୍ଵାର ବିକି ନିଜ ପୁଅର ସଂସାର ରେ ଅନାବଶ୍ୟକ ଅତିଥି ଭାବରେ ଏମିତି ରହୁ ନଥାନ୍ତି।

ଏଇ ଗତକାଲି ଆମ ନାତିର ଜନ୍ମଦିନ ଗଲା। ଘରେ ବଡ଼ ଧୁମଧାମରେ କେକ୍ କାଟି, ମହମବତୀ ଜଳେଇ ଜନ୍ମଦିନ ପାଳନ କରାହେଲା। ପଡୋଶୀ ମାନେ ବି ଆସିଥିଲେ। ମତେ ଗୋଟିଏ ଘର ଭିତରେ ବନ୍ଦ କରି ରଖିଥିଲା ବୋହୂରାଣୀ ଆମର। ଭିତରେ କବାଟ ପାଖରେ ଷ୍ଟୁଲ ଉପରେ ବସିଥିଲି। ବାହାର ର ଆନନ୍ଦ ଉତ୍ସବର କିଛିଟା ଝଲକ ପାଉଥିଲି।
ପୁଅ ମଝିରେ ଥରେ ବୋହୂକୁ ମୋ ବିଷୟରେ ପଚାରିଥିଲା। ମୁଁ କୁଆଡ଼େ ମୋର କେଉଁ ସାଙ୍ଗ ଘରକୁ ଯାଇଛି ବୋଲି କହି କଥା ଟାକୁ ବାଆଁରେଇ ଦେଲା ବୋହୂ। ପୁଅ ମୋ ଉପରେ ବିରକ୍ତ ହୋଇ କହିଲା, “ଘରେ ଏତେ ବଡ଼ ଉତ୍ସବ ଅଥଚ ବାପା କେମିତି ଲୋକ! କେଉଁ ସାଙ୍ଗ ଘରକୁ ଯିବାଟା ତାଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇ ଗଲା!” ତା କଥାରେ ମୋ ପ୍ରତି ବିରକ୍ତି ଭାବ ସ୍ପଷ୍ଟ ଶୁଣି ପାରୁଥିଲି।
କିଏ ଜଣେ ପଡୋଶୀ ପଚାରି ବସିଲେ,” ଆପଣଙ୍କ ଘରେ ଯେଉଁ ବୁଢ଼ା ମଉସା ଜଣଙ୍କ ଥାଆନ୍ତି ସେ କିଏ କି? ତାଙ୍କୁ ତ କାହିଁକି ଦେଖୁନି?”
ବୋହୂ ଆମର ନିର୍ବିକାର ଭାବରେ ଉତ୍ତର ଦେଲେ, ” ପୁଅର କାମରେ ବଡ଼ ବ୍ୟସ୍ତ ହୋଇ ପଡୁଥିଲି। ଉପରକୁ ଚାକିରୀ। ବୋଉ ଗାଁ ରୁ ଜଣେ ବିଶ୍ବସ୍ତ ଚାକର ପଠେଇ ଦେଇଛି।”
ଶୁଣୁ ଶୁଣୁ ମୋ ପାଦତଳୁ ମାଟି ଖସିଗଲା। ବୁଢ଼ୀ ଯିବା ବେଳେ ବହୁତ କାନ୍ଦିଥିଲି। ଭାବିଥିଲି ଲୁହ ସବୁ ସରିଯାଇଥିଲା। ଏ ବୁଢ଼ା ଆଖିରେ ଆହୁରି ଏତେ ଲୁହ ଅଛି,ଏକଥା କାଲି ଜାଣିଲି।
ସମସ୍ତେ ଯିବା ପରେ ବୋହୂ ବାହାରୁ କବାଟ ଖୋଲିଲା। ସେତେବେଳକୁ ପୁଅ ଶୋଇ ପଡ଼ିଲାଣି ନାତିକୁ ନେଇ। ନାତି ପାଇଁ ଗୋଟିଏ ଦୋତାଲା ବସ୍ କିଣି ଆଣିଥିଲି,ତା’ ଜନ୍ମ ଦିନ ପାଇଁ। ସେଇଟା ବି ମୋ ଭଳି ଅଲୋଡ଼ା ହୋଇ ଭୂଇଁରେ ଗଡୁଥିଲା।

ରାତିରେ ମୋର ଖାଇବା ପାଇଁ ଆଉ କିଛି ନଥିଲା। ବୋହୂ କହିଲା ଯେତେ ଜଣ ଆସିବେ ବୋଲି ହିସାବ କରିଥିଲେ ତାଠାରୁ କାଳେ ବହୁତ ବେଶି କୁଣିଆଁ ଚାଲି ଆସିଲେ।ପୁଅ, ବୋହୂଙ୍କର ବହୁତ ସାଙ୍ଗ ତ!
ମନକୁ ବୁଝେଇଲି, ”ହଁ,ଯାହାର ଘର ଭିତରେ ବୁଢା ବାପା ଟି ପାଇଁ ସମୟ ନଥାଏ, ତାର ବାହାରେ ହିଁ ବହୁତ ବେଶି ବନ୍ଧୁ ଥାଆନ୍ତି ପରା! ”
ବୋତଲ ରେ ଆଉ ଫିଲଟର ପାଣି ନଥିଲା। ଏତେ ଲୋକ ଆସିଥିଲେ, ସରି ଯାଇଥିବ। ଟ୍ୟାପ୍ ଖୋଲି ଗିଲାସେ ପାଣି ପିଇ ଶୋଇବାକୁ ଚେଷ୍ଟା କଲି।
ବିଛଣାରେ ପଡ଼ି ପଡ଼ି ବହୁତ ଭାବିଛି। ଏଠି ପୁଅକୁ ବୋହୂ ବିରୁଦ୍ଧରେ ସତ କଥା ସବୁ କହି ତାଙ୍କର ସୁନା ର ଦୁନିଆଁ ରେ ନିଆଁ ଲଗେଇବା ପାଇଁ କୌଣସି ମତେ ନିଜକୁ ମନେଇ ପାରିଲି ନାହିଁ। ଆଗରୁ କେତେ ଥର ଭୁବନେଶ୍ୱର ଆଡ଼େ ଯାଇ ବୁଲି ଆସିବା ପାଇଁ ପୁଅକୁ କହିଛି। ସେ ଆଦୌ ରାଜି ହୋଇନି। “ସେଠାରେ ତମର କିଏ ଅଛି,କିଏ ତମ କଥା ବୁଝିବ” ଏମିତି କହି ଆଡ଼େଇ ଦେଇଛି। ଏବେବି ସେମିତି ହେବ।
ଏଥର ମୋ ଆଡ଼କୁ ଝୁଙ୍କି ବସିଲେ ବୃଦ୍ଧ ଜଣକ। ବୟସର ଭାର ଅପେକ୍ଷା ନିଜ ର ଅତି ଆପଣାର ଲୋକମାନଙ୍କ ର ଅବହେଳା ର ଚକ ତଳେ ପେଶି ହୋଇ ଗୋଟିଏ ମଲା ମଣିଷର ଭୂତଟିଏ ଭଳି ଦିଶୁଥିଲେ ସେ। ଅଜାଣତରେ ମୋର ଦୁଇ ଆଖି ଲୁହ ରେ ଭରି ଯାଇଥିଲେ।
ତାଙ୍କୁ ପଚାରି ବସିଲି,”ଆଗକୁ କଣ କରିବେ ବୋଲି ଭାବୁଛନ୍ତି? ଯଦି କିଛି ନ ଭାବନ୍ତି ଆପଣ ଆମ ମାନଙ୍କ ସହିତ ଭୁବନେଶ୍ୱର ରେ ରହିବେ କି? ଆମେ ବୁଢ଼ା, ବୁଢ଼ୀ ଦି’ଜଣ। ଆପଣ ରହିଲେ ଆମକୁ ବି ଭଲ ଲାଗିବ।ଆମେ ତ ଏଇ କେତେ ଦିନ ପରେ  ଫେରି ଯାଉଛୁ”।
ମଉସା ଇତସ୍ତତଃ ହେଲେ।
” ମୁଁ ବହୁତ ଭାବିଛି। ଆପଣ ମାନଙ୍କ ଉପରେ ବା ଆଉ କାହା ଉପରେ ବୋଝ ହେବା ପାଇଁ ମୁଁ ଚାହୁଁନାହିଁ। ଭୁବନେଶ୍ୱର ପାଖରେ ଗୋଟିଏ ବୃଦ୍ଧାଶ୍ରମ ଅଛି। ସେଠାରେ ମୋର ଜଣେ ଜଣାଶୁଣା ବନ୍ଧୁ ଓ ତାଙ୍କ ସ୍ତ୍ରୀ କିଛି ଦିନ ହେବ ରହୁଛନ୍ତି। ତାଙ୍କର ପିଲାମାନେ ବିଦେଶରେ। ସେଠାରେ ରହିବା, ଖାଇବା ର ସବୁ ପ୍ରକାର ର ସୁବିଧା ଅଛି ବୋଲି କହୁଥିଲେ।ତାଛଡା ଗୋଟିଏ ଡାକ୍ତରଖାନା ମଧ୍ୟ ଜଡ଼ିତ ଅଛି ସେ ବୃଦ୍ଧାଶ୍ରମରେ। ମୋର ତ ପେନସନ ଅଛି। କିଛି ଅସୁବିଧା ହେବ ନାହିଁ ବୋଲି ଭାବୁଛି। ତାଛଡା ନିଜ ଲୋକଙ୍କ ପାଖରୁ ଯେତେବେଳେ ସ୍ନେହ ଶ୍ରଦ୍ଧା ଟିକିଏ ପାଇଲିନି, ଅନ୍ୟ ମାନଙ୍କ ପାଖରୁ ନ ପାଇଲେ କଣ ଅବା ବିଗିଡ଼ି ଯିବ! ଆପଣ ଖାଲି ମୋ’ ଭୁବନେଶ୍ବର ଯିବା ପାଇଁ ଟିକେଟ ଗୋଟିଏ କରିଦିଅନ୍ତୁ। ଯାହା ଖର୍ଚ୍ଚ ଲାଗିବ କହିବେ, ମୁଁ ପାଖରେ କିଛି ପଇସା ପତ୍ର ରଖିଛି। ଯେତେବେଳେ ମଣିଷ ଉପରୁ ଭରସା ଉଠି ଯାଏ ଏଇ ପଇସା ପତ୍ର ପରା କାମରେ ଆସନ୍ତି!”
ତାଙ୍କ ପାଖରୁ ସମସ୍ତ ବିବରଣୀ ନେଇ ଟ୍ରେନ ରେ ତତ୍କାଳ ଟିକଟ ଟିଏ କରିଦେଲି।
ତାଙ୍କୁ ନେଇ ରେଳ ଷ୍ଟେସନ ରେ ଛାଡ଼ି ଆସିଲା ବେଳକୁ ଶେଷ ଥର ପାଇଁ ତାଙ୍କୁ କୁଣ୍ଢେଇ ଧରି ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦି ପକେଇଲି। ନିଶ୍ଚିତ ଭାବରେ ଦେଖା କରିବା ର ପ୍ରତିଶ୍ରୁତି ଦେଇ ଓଲା ଟାକ୍ସି ଟିଏ ବୁକ୍ କଲି ପିଲାମାନଙ୍କ ପାଖକୁ ଫେରିବା ପାଇଁ।