ରାସ୍ତାର ଦୂରାବସ୍ଥା ପାଇଁ ଖଟିଆରେ ବୁହାହେଲେ ବୃଦ୍ଧ ରୋଗୀ

ମୟୂରଭଞ୍ଜ : ଖଟିଆରେ ବୁହା ହେଲେ ବୃଦ୍ଧ ରୋଗୀ। ଆସିପାରିଲାନି ଆମ୍ବୁଲାନ୍ସ। ଧକ୍କା ଦେଲା ସରକାରୀ ଯୋଜନା। ନିର୍ମାଣ ହୋଇ ପାରୁନି ରାସ୍ତା। ଲଗାଣ ଲଘୁଚାପ ବର୍ଷା ଯୋଗୁଁ କାଦପଚପଚ ମାଟିରାସ୍ତା। ଏ ଗାଁ ପାଇଁ ଫେଲ ମାରିଛି ସରକାରଙ୍କ ଯୋଜନା। ବାରମ୍ବାର ଏଭଳି ଦୃଶ୍ୟମାନ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ତଥାପି ଜିଲ୍ଲା ପ୍ରଶାସନ କି ସରକାର ପ୍ରତିକାର କରିବା ବଦଳରେ ନୀରବ ଦ୍ରଷ୍ଟା କାହିଁକି ବୋଲି ପ୍ରଶ୍ନ ଉଠୁଛି। ଏଭଳି ଦୃଶ୍ୟ ଆଜି ପୁଣି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପୋଡାଗଡ ପଂଚାୟତ ଅଧିନସ୍ଥ କାଶିପାଳ ଗ୍ରାମରେ। ଏହି ଗ୍ରାମକୁ ଲମ୍ବିଥିବା ରାସ୍ତା ଜାତୀୟ ରାଜପଥ ଠାରୁ ୪ କିଲୋମିଟର ଅତ୍ୟନ୍ତ ଶୋଚନୀୟ ହୋଇ କାଦ ପଚ ପଚ ହୋଇପଡିଛି। ଫଳରେ ସେହି ଗ୍ରାମକୁ ୧୦୮ ଆମ୍ବୁଲାନସ୍ ଯାଇପାରି ନ ଥିଲା । ଆଜି ସେହି କାଶିପାଳ ଗ୍ରାମର ୭୦ ବର୍ଷର ଭୀମ ମହାକୁଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି ପାଇଁ ଗ୍ରାମବାସୀଙ୍କ ସାହାଯ୍ୟରେ ପରିବାର ଲୋକେ ଖଟିଆରେ ବୋହି ଦୀର୍ଘ ୪ କିଲୋମିଟର ରାସ୍ତା ଆଣିବା ଭଳି ଲଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ବୃଦ୍ଧ ଭୀମ ମହାକୁଡ଼ଙ୍କ ଅଣ୍ଟା ଭାଙ୍ଗିଥିବାରୁ ଗାଁ ଲୋକେ ଖଟିଆରେ ବୋହି ୪ କିଲୋ ମିଟର ଦୂରରେ ଥିବା ଆମ୍ବୁଲାନସ୍ ନିକଟକୁ ପହଞ୍ଚାଇ ଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଯଶିପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଏଠାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଦେଶ ସ୍ୱାଧିନତାର ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଗ୍ରାମବାସୀ ପୋଡାଗଡ ପଂଚାୟତ କତୃପକ୍ଷଙ୍କ ଠାରୁ ଆରମ୍ଭ କରି ଯଶିପୁର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ପୂର୍ବରୁ ଲିଖିତ ଭାବେ ଜଣାଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗ୍ରାମ ଆଜିପର୍ଯ୍ୟନ୍ତ ନିର୍ମାଣ ହୋଇପାରିନି ଗାଁ ରାସ୍ତା । ଯାହା ସରକାରଙ୍କ ପ୍ରଚାର ଏବଂ ବାସ୍ତବତାର ଦୃଶ୍ୟ ଏଠି ଆମେ ଦେଖାଉଛୁ। ଏହି ରାସ୍ତା ସରକାରଙ୍କ ପାରିବାପାଣିଆକୁ ପ୍ରମାଣ କରୁଛି। ଆଉ ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରି ସମାଧାନ କରିବା ବଦଳରେ ପବିତ୍ର ଗୃହରେ ନୀରବ ଦର୍ଶକ ସାଜି ଭୋଟରଙ୍କୁ ଠକୁଛନ୍ତି ବୋଲି ଏବେ ଆଲୋଚନା ଯୋର ଧରିଥିବା ଦେଖିବାକୁ ମିଳିଛି।ସରକାର ହସ୍ତକ୍ଷେପ କରି ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମବାସୀଙ୍କ ପାଇଁ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବାକୁ କାଶିପାଳ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here