26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଆମେରିକାକୁ ପରିଣାମ ଭୋଗିବାକୁ ପଡିବ: ଚୀନ୍‌

ଆମେରିକାକୁ ପରିଣାମ ଭୋଗିବାକୁ ପଡିବ: ଚୀନ୍‌

ତାଇପେ: ଚୀନ୍‌ର ସବୁ ଧମକକୁ ବେଖାତିର କରି ଆମେରିକା ନିମ୍ନ ସଦନ (ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍‌) ବାଚସ୍ପତି ନାନ୍‌ସି ପେଲୋସି ମଙ୍ଗଳବାର ସନ୍ଧ୍ୟାରେ ତାଇୱାନରେ ପହଞ୍ଚିଛନ୍ତି । ତାଇୱାନ୍‌ର ସ୍ୱାଧୀନ ତଥା ଗଣତାନ୍ତ୍ରିକ ସରକାର ପ୍ରତି ଆମେରିକାର ସମର୍ଥନ ସ୍ପଷ୍ଟ କରିବାକୁ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ନାନ୍‌ସି କହିଛନ୍ତି । ତାଇୱାନ୍‌ର ୨୩ ନିୟୁତ ନାଗରିକଙ୍କର ସର୍ବାଙ୍ଗୀନ ବିକାଶ ପ୍ରକ୍ରିୟାରେ ଆମେରିକା ସବୁପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି ନାନ୍‌ସି ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କର ଏହି ଗସ୍ତ ଦ୍ୱାରା ତାଇୱାନ ପ୍ରସଙ୍ଗରେ ଆମେରିକା-ଚୀନ୍ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ରାଜିନାମା ଉଲ୍ଲଂଘନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ନାନ୍‌ସିଙ୍କ ଗସ୍ତକୁ ବିରୋଧକରି ଚୀନ୍ ପକ୍ଷରୁ ଆମେରିକାକୁ ଧମକ ଦିଆଯାଇଥିଲା ।

ବାରଣ ସତ୍ତ୍ୱେ ନାନ୍‌ସି ଯଦି ତାଇୱାନ ମାଟିରେ ପାଦ ରଖନ୍ତି, ତେବେ ଆମେରିକାକୁ ପରିଣାମ ଭୋଗିବାକୁ ପଡିବ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଧମକ ମଧ୍ୟ ଦିଆଯାଇଛି । ନାନ୍‌ସିଙ୍କ ତାଇୱାନ ଗସ୍ତକୁ ସାକାର କରିବା ଦ୍ୱାରା ଆମେରିକା ଚୀନ୍‌ର ସାର୍ବଭୌମତ୍ୱ ପ୍ରତି ଅସମ୍ମାନ କରିଛି ବୋଲି ଚୀନ୍ ପକ୍ଷରୁ କୁହାଯାଇଛି । ତାଇୱାନ ଏବେମଧ୍ୟ ଚୀନ୍‌ର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆଗାମୀ ଦିନରେ ଚୀନ୍ କଳେବଳେ କୌଶଳେ ତାଇୱାନ୍‌କୁ ନିଜ ଭୂଖଣ୍ଡରେ ସାମିଲ କରିବ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନ୍‌ୟିଙ୍ଗ୍ କହିଛନ୍ତି । ତାଇୱାନ ସହ ପୃଥକ କୂଟନୈତିକ ସମ୍ପର୍କ ରଖୁଥିବା ରାଷ୍ଟ୍ରକୁ ଚୀନ୍ ନିଜର ଶତ୍ରୁଭାବେ ବିବେଚନା କରୁଛି ବୋଲି ମଧ୍ୟ ସେ କହିଛନ୍ତି । ମଙ୍ଗଳବାର ଚୀନ୍‌ର ଏଭଳି ଧମକକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ତାଇୱାନ ନିକଟବର୍ତ୍ତୀ ଫିଲିପାଇନ୍ସ ସାଗରରେ ୪ଟି ଯୁଦ୍ଧଜାହାଜକୁ ମୁତୟନ କରାଯାଇଥିଲା ।

ଏଥିମଧ୍ୟରେ ବିମାନବାହୀ ଯୁଦ୍ଧଜାହାଜ ‘ୟୁଏସ୍‌ଏସ୍ ରୋନାଲଡ୍ ରେଗାନ୍‌’ ମଧ୍ୟ ଅନ୍ତର୍ଭୁକ୍ତ । ଯଦି ନାନ୍‌ସିଙ୍କ ଗସ୍ତର ପ୍ରତିଶୋଧ ନେବାକୁ ଚୀନ୍ ପକ୍ଷରୁ ତାଇୱାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ତାହାର ମୁକାବିଲା କରିବାକୁ ଏହି ଯୁଦ୍ଧଜାହାଜଗୁଡିକ ଶହେ ପ୍ରତିଶତ ପ୍ରସ୍ତୁତ ବୋଲି ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ସକାଳେ ଚୀନ୍‌ର ଏକାଧିକ ଯୁଦ୍ଧବିମାନ ତାଇୱାନ୍ ନିକଟରେ ପଇଁତରା ମାରିଥିବାବେଳେ ଚୀନ୍ ମଧ୍ୟ ଏକାଧିକ ଯୁଦ୍ଧଜାହାଜକୁ ସେଠାରେ ମୁତୟନ କରିଥିବା ଜଣାପଡିଛି । ୮୨ ବର୍ଷୀୟ ନାନ୍‌ସି ସଂପ୍ରତି ଏସିଆ ଗସ୍ତରେ ଆସିଥିବାବେଳେ ସିଙ୍ଗାପୁର, ମାଲେସିଆ ପରିଦର୍ଶନ କରି ତାଇୱାନରେ ପହଞ୍ଚିଛନ୍ତି । ଏହାପରେ ସେ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ୧୯୧୨ ମସିହାରେ ତାଇୱାନ୍ ଚୀନ୍ ଅକ୍ତିଆରକୁ ଆସିଥିଲା । ସେହିଦିନଠାରୁ ଚୀନ୍ ସବୁବେଳେ ତାଇୱାନକୁ ନିଜର ବୋଲି ଦାବି କରିଆସୁଛି । ଏପରିକି ୧୯୭୧ରେ ଜାତିସଂଘରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ତାଇୱାନ୍‌କୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚୀନ୍ ରକ୍ତ ଚାଉଳ ଚୋବାଉଛି । ତାଇୱାନ ପ୍ରସଙ୍ଗ ନେଇ ଆମେରିକା-ଚୀନ୍ ସମ୍ପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking