ଫୁଲବାଣୀ : ଗଞ୍ଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦ୍ଦେଶରେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହରର କନ୍ୟାଶ୍ରମ ରୋଡରେ ରହୁଥିବା ରେଡିମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ସାହି ଲୋକଙ୍କ ବାରଣ ସତ୍ତ୍ୱେ ତାଙ୍କୁ ଜୋରଜବରଦସ୍ତ ଉଠାଇ ଗୋପାଳପୁର ଥାନାକୁ ନେଇ ସେଠାରେ ନିସ୍ତୁକ ମାଡ଼ ମାରିବା ଫଳରେ ସେ ଆହତ ହୋଇଥିଲେ । ଫଳରେ ପ୍ରଥମେ ସୁମନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଓ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଗୋପାଳପୁର ପୋଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ନେଇ ସୁମନ୍ତ କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇବା ପରେ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶରେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ବର୍ତ୍ତମାନର ଗୋପାଳପୁର ଥାନା ଅଧିକାରୀ ଓ ପୂର୍ବତନ ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ଓ ସ୍ମୃତିରେଖା ସାହୁଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛ । ପୋଲିସ ମାଡରେ ଆହତ ସୁମନ୍ତଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନ ରାଇକିଆ ଥାନାରେ ଏତଲା ଦେଇଥିବା ଜଣାପଡିଛ । ସୂଚନାଯୋଗ୍ୟ ଯେ ରାଇକିଆ ଅଞ୍ଚଳର ସ୍ମୃତି ରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟୀ ସୁମନ୍ତ ପାଖାପାଖି ଚାରି ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ । ସୁଧ ସହ ଫୋନ ପେ, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସେ ସମସ୍ତ ଟଙ୍କା ଫେରାଇଥିଲେ । ତେବେ ଭୂଲବଶତଃ ଧାର ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତି ରେଖାଙ୍କ ଠାରୁ ଆଣିନଥିଲେ ।
ଫଳରେ ତାର ସୁଯୋଗରେ ସ୍ମୃତିରେଖା ପୁଣି ଟଙ୍କା ଦାବିକରି ଆଗରୁ ପରିଚୟ ଥିବା ପୂର୍ବତନ ରାଇକିଆ ଥାନାଧିକାରୀ ଓ ବର୍ତ୍ତମାନ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ସାହାଯ୍ୟ ନେଇଥିଲେ । ଶ୍ରୀ ଖମାରି ପୋଲିସ ପଠାଇ ସୁମନ୍ତଙ୍କୁ ଗୋପାଳପୁର ନେଇ ମାଡ ମାରିଥିବା ଅଭିଯୋଗ ହୋଇଛ । ପୋଲିସ ଡିଜି, ରାଜ୍ୟ ମାନବାଧିକାର କମିଶନ ଦୃଷ୍ଟି ଦେଇ ଥାନାଧିକାରୀ ଓ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ପୀଡ଼ିତ ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଫୁଲବାଣୀ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଥିଲା ।
ବିନା କାରଣରେ ତାଙ୍କ ପରିବାରକୁ ମାଡ଼ ମାରିବା ଓ କାହା ଇଙ୍ଗିତରେ ଥାନା ଅଧିକାରୀ ଏଭଳି ଅମାନବୀୟ କାଯ୍ୟ କରିବାକୁ ପଛାଇନଥିଲେ ତାହାର ବିଧିବଧ ତଦନ୍ତ ପାଇଁ ଦାବିକରିଛନ୍ତି । ଏପରିକି ଥାନା ଅଧିକାରୀ ଜୋର ଜବରଦସ୍ତ ଯେଉଁ ସାଧା କାଗଜରେ ଦସ୍ତଖତ କରାଇଛନ୍ତି ତାହା କେଉଁ କାରଣ ଯୋଗୁଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଏହି ପୀଡ଼ିତ ପରିବାର । ଉଚିତ୍ ନ୍ୟାୟ ନମିଳିଲେ ପୀଡ଼ିତ ପରିବାର ରାଇକିଆ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନି ଦେଇଛନ୍ତି । ଅନ୍ୟପକ୍ଷେର ବିନା କାରଣରେ ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରିବା ଘଟଟାରେ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟ ସମାଲୋଚନା କରାଯାଇ ଏ ଦିଗରେ ତୁରନ୍ତ ପଦେକ୍ଷପ ନେବାକୁ ଦାବି ହୋଇଛି ।