27.1 C
Bhubaneswar
Thursday, April 25, 2024
Homeଓଡିଶାଚିକିତ୍ସା ଅବହେଳାରୁ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ବିଭିନ୍ନ ସମୟରେ ଅବ୍ୟବସ୍ଥାରେ ଚାଲୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବା ନଗର ଚିକିତ୍ସାଳୟ ଉପରେ ପୁଣି ଥରେ ଆଙ୍ଗୁଠି ଉଠିଛି । ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହା ସହ ମହିଳାଙ୍କ ପ୍ରସୂତି ସମୟରେ ସେଠାରେ କୌଣସି ଡାକ୍ତର ନଥିବା ପ୍ରସୂତି ମହିଳାଙ୍କ ଭାଇ ଜିତେନ୍ଦ୍ର ନାହାକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ସିଟି ହସ୍‌ପିଟାଲ ପ୍ରସୂତି ବିଭାଗ ସାମ୍ନାରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଖବର ପାଇ ଘଟଣା ସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୃତ୍ୟୁ ଶିଶୁର ବାପା ଶିବ ଶଙ୍କର ନାୟକ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଦୁଇଦିନ ପୂର୍ବେ କୋଦଳା ଖରୁଡ଼ା ସାହିର ରିନା ନାୟକଙ୍କ ପ୍ରସୂତି ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ସିଟି ହସ୍‌ପିଟାଲ ବା ନଗର ଚିକିତ୍ସାଳୟକୁ ପ୍ରସୂତି ନିମନ୍ତେ ଆଣିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହ ପ୍ରସୂତି ନିମନ୍ତେ ଆଉ ୪ ଦିନ ବିଳମ୍ବ ହେବ ବୋଲି କହିଥିଲେ । ତାଙ୍କୁ ଘରକୁ ପଳାଇ ଯିବା ନିମନ୍ତେ କହିଥିଲେ ବୋଲି ରୀନାଙ୍କ ପରିବାର ଲୋକ କହିଛନ୍ତି । ଏହା ସହ ସିଟି ହସ୍‌ପିଟାଲର ନିଶ୍ଚେତକ ଡାକ୍ତର ଛୁଟିରେ ରହିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଏଠାରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ । ଯଦି ଉତ୍ତମ ଚିକିତ୍ସା ଚାହୁଁଛନ୍ତି ତେବେ ଏମ୍‌କେସିଜି ଯିବାକୁ କାର୍ଯ୍ୟରେ ଥିବା ଡ଼ାକ୍ତର ପରାମର୍ଶ ଦେଇଥିଲେ । ଏହା ପରେ ସେମାନେ ବ୍ରହ୍ମପୁର କୁଠାରୀ ମନ୍ଦିର ସାହିରେ ଥିବା ତାଙ୍କର ଏକ ସମ୍ପର୍କୀୟ ଘରେ ରହିଥିଲେ । ରିନାଙ୍କ ଆଜି ପୁଣି ପ୍ରସୂତି ଯନ୍ତ୍ରଣା ହେବାରୁ ସେମାନେ ସକାଳେ ମେଡ଼ିକାଲକୁ ଆସିଥିଲେ । ସେଠାରେ ତାଙ୍କୁ ଡାକ୍ତର ଚିକିତ୍ସା କରିବା ସହ ପ୍ରସୂତି ହେବା ନିମନ୍ତେ ଏକ ଇଞ୍ଜେକ୍ସନ ଦେଇଥିଲେ ।

ଏହାର କିଛି ଘଣ୍ଟା ପରେ ରିନାଙ୍କ ଏକ ମୃତ ଶିଶୁ ପୁତ୍ରଟି ଜନ୍ମ ହୋଇଥିଲା । ଜନ୍ମର କିଛି ଘଣ୍ଟା ପୂର୍ବରୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିବା ରିନାଙ୍କ ଭାଇ ଜିତେନ୍ଦ୍ର କହିଛନ୍ତି । ଏହା ସହ ତାଙ୍କ ଭଉଣୀଙ୍କ ପ୍ରସୂତି ସମୟରେ ତାଙ୍କ ନିକଟରେ କୌଣସି ଡାକ୍ତର ନଥିବା ବେଳେ କେବଳ ନର୍ସିଂ ଅଫିସର ଥିଲେ । କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଥିଲେ । ଏନେଇ ମେଡ଼ିକାଲର ପ୍ରସୂତି ବିଭାଗ ସାମ୍ନାରେ ମୃତ୍ୟୁ ଶିଶୁଙ୍କ ପରିବାର ଲୋକେ ଉତ୍ତେଜନା କରିଥିବା ବେଳେ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା ।

ଏହି ଘଟଣାକୁ ନେଇ ବାପା ଶିବଶଙ୍କରଙ୍କ ଅଭିଯୋଗ ପରେ ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି । ଏଭଳି ଘଟଣାକୁ ନେଇ କାର୍ଯ୍ୟରେ ଥିବା ଡାକ୍ତରଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରସୂତି ସମୟରେ ସେ ରୋଗୀଙ୍କ ପାଖରେ ରହିଥିବା ବେଳେ ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ । ଶିଶୁଟିର ବେକରେ ନଳି ଗୁଡ଼ାଇ ହୋଇଥିବାରୁ ପ୍ରସୂତି ସମୟରେ ସମସ୍ୟା ଦେଖାଦେଇଥିଲା । ଅନ୍ୟପକ୍ଷରେ ବିଭିନ୍ନ ସମୟରେ ମେଡ଼ିକାଲରେ ଡାକ୍ତର ଅନୁପସ୍ଥିତ ନେଇ ଅଭିଯୋଗ ହୋଇଥିବା ବେଳେ କାର୍ଯ୍ୟକୁ ସଠିକ ସମୟରେ ଆସୁନଥିବା ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦେଖିବାକୁ ମିଳିଛି । ଯାହାଫଳରେ ଏଭଳି ଘଟଣା ମେଡ଼ିକାଲରେ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking