27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଏଥର ସବୁ ପିଲା କରିବେ ମାଟ୍ରିକ ପରୀକ୍ଷା ଫର୍ମପୂରଣ

ଏଥର ସବୁ ପିଲା କରିବେ ମାଟ୍ରିକ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର : ୨୦୨୧ ମାଟ୍ରିକ ଫର୍ମପୂରଣ କରିବା ଲାଗି ଛାତ୍ରଛାତ୍ରୀଙ୍କ ଲାଗି କୌଣସି ପ୍ରତିବନ୍ଧକ ରହିବ ନାହିଁ । ପୂର୍ବରୁ ଫର୍ମପୂରଣ କରିବା ଲାଗି ଉପସ୍ଥାନ ଏବଂ ଏଗ୍ରିଗେଟ୍ ମାର୍କକୁ ବାଧ୍ୟତାମୂଳକ ରଖାଯାଇଥିଲା । ଯାହାକୁ ନେଇ ରାଜ୍ୟର ଅନେକ ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏହାକୁ ବିରୋଧ କରିଥିଲେ । ଏପରିକି କିଛି ସ୍କୁଲରେ ଛାତ୍ର ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା । ମାତ୍ର ଗଣଶିକ୍ଷା ବିଭାଗ ଯେଉଁ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ ସେଥିରେ ହେବ ପରିବର୍ତ୍ତନ ।

କରୋନା ଲାଗି ଚଳିତ ଶିକ୍ଷା ବର୍ଷ ପାଠପଢ଼ା ନୈରାଶ୍ୟଜନକ ରହିଛି । ସ୍କୁଲରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ଛାତ୍ରଛାତ୍ରୀ ଶିକ୍ଷାପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରି ଅବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଗଣଶିକ୍ଷା ବିଭାଗ ଗତ ମେ’ ୧୫ରେ ଯେଉଁ ନିର୍ଦ୍ଦେଶନାମା ପ୍ରକାଶ କରିଥିଲା ତାହା କାର୍ଯ୍ୟକାରୀ ନକରିବାକୁ ନିଷ୍ପତ୍ତି ନେଇଛି । ତେବେ କେଳବ ଚଳିତବର୍ଷ ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଫ୍ରେବୃଆରୀ ୨ତାରିଖ ଫର୍ମ ପୂରଣ କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଯେଉଁ ଛାତ୍ରଛାତ୍ରୀଙ୍କୁ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଫେଲ କରାଯାଇଥିଲା ସେମାନଙ୍କ ପାଇଁ ପୁଣି ଫର୍ମପୂରଣ ତାରିଖକୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଗତବର୍ଷ ମେ’ ୧୫ରେ ଏକ ବିଜ୍ଞପ୍ତି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ଲାଗି ସର୍ବନିମ୍ନ ଏଗ୍ରିଗେଟ ମାର୍କ ଆବଶ୍ୟକ । ତେବେ ଏଗ୍ରିଗେଟ ମାର୍କ କେତେ ରହିବ ସେ ସମ୍ପର୍କରେ କୌଣସି ତଥ୍ୟ ସମ୍ପୃକ୍ତ ବିଜ୍ଞପ୍ତିରେ ଦର୍ଶାଯାଇ ନଥିଲା । ନବମ ଶ୍ରେଣୀ ପିଲାଙ୍କ ଲାଗି ଏଗ୍ରିଗେଟ୍ ମାର୍କ ୧୯୮ ଆବଶ୍ୟକ ଥିବା ବେଳେ  ଅନେକ ସ୍କୁଲରେ  ଛାତ୍ରଛାତ୍ରୀଙ୍କ ମାର୍କ ଏହା ଠାରୁ କମ୍ ଥିବା ଜଣାପଡ଼ିଛି । ସେହିପରି ଅନେକ ପିଲାଙ୍କ ଉପସ୍ଥାନ ମଧ୍ୟ କମ୍ ରହିଛି । ଏହି ପରିପ୍ରେକ୍ଷୀରେ ଉପସ୍ଥାନ ଏବଂ ମାର୍କକୁ ଯଦି ଗୁରୁତ୍ୱ ଦିଆଯାଏ ତେବେ ଅନେକ ଛାତ୍ରଛାତ୍ରୀ ଚଳିତ ବର୍ଷ ଫର୍ମପୂରଣ କରିବାରୁ ବଞ୍ôଚତ ହେବା ସ୍ପଷ୍ଟ ହୋଇଥିଲା । ତେଣୁ ପିଲାଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଇ ବିଭାଗ କୌଣସି ମାନଦଣ୍ଡ ନରଖି ସମସ୍ତଙ୍କୁ ଫର୍ମ ପୂରଣ କରିବାକୁ ସୁଯୋଗ ଦେବାକୁ ଯାଉଛି ।

ଜାନୁଆରୀ ୮ରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢ଼ା ହେଉଛି । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି କରାଯାଇଛି । ଏବର୍ଷ ମାଟ୍ରିକ୍ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି । ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ଦିଆଯିବ । ପୂର୍ବରୁ ମାଟ୍ରିକ ପରୀକ୍ଷା ଫି ଛାଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking