28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୨୦୪୦ ସୁଦ୍ଧା ସତ୍ତା ହରାଇବ ଆଫ୍ରିକାର ସବୁ ଗ୍ଲେସିୟର : ମରୁଡ଼ି ଓ ବନ୍ୟାର ଶିକାର...

୨୦୪୦ ସୁଦ୍ଧା ସତ୍ତା ହରାଇବ ଆଫ୍ରିକାର ସବୁ ଗ୍ଲେସିୟର : ମରୁଡ଼ି ଓ ବନ୍ୟାର ଶିକାର ହେବେ ୧୨ କୋଟି ଲୋକ

ନାଇରୋବି: ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଆଫ୍ରିକାରେ ଥିବା ଗ୍ଲେସିୟର (ବରଫଖଣ୍ଡ) ତରଳିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିଯୋଗୁଁ ଆଫ୍ରିକାର ଅଧିକାଂଶ ସ୍ଥାନରେ ମରୁଡି ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏବଂ ପ୍ରାୟ ୧୨ କୋଟି ଲୋକ ଏହାର ଶିକାର ହେବେ ବୋଲି ମଧ୍ୟ କୁହାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଚଳିତମାସ ୩୧ରେ ସ୍କଟଲାଣ୍ଡରେ ଜାତିସଂଘ ତରଫରୁ ଜଳବାୟୁ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଏଭଳି ରିପୋର୍ଟ ଆଫ୍ରିକାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗାମୀ କୋଡିଏ ବର୍ଷ ମଧ୍ୟରେ ଆଫ୍ରିକା ମହାଦେଶର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବା ସହ ପ୍ରାୟ ୧୦୩ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ରିପୋର୍ଟ ଅନୁଯାୟୀ ବିଶ୍ୱର ଅନ୍ୟ ଶୃଙ୍ଗ ତୁଳନାରେ  କିଲିମାଞ୍ଜାରୋ, କେନିୟା ଓ ୱେନ୍‌ଜୋରି ଶୃଙ୍ଗରେ ଥିବା ବୃହତ ବରଫଖଣ୍ଡଗୁଡିକ ଦ୍ରୁତଗତିରେ ତରଳିବାରେ ଲାଗିଛି ।

ଯଦି ଏହି ପ୍ରକ୍ରିୟା ଜାରିରହେ, ତେବେ ୨୦୪୦ ମସିହା ସୁଦ୍ଧା ଆଫ୍ରିକା ମହାଦେଶରେ ଗ୍ଲେସିୟରଗୁଡିକ ସତ୍ତା ହରାଇବା ନିଶ୍ଚିତ ବୋଲି କୁହାଯାଇଛି । ୨୦୫୦ ମସିହା ସୁଦ୍ଧା ଆଫ୍ରିକା ମହାଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି) ୩ ପ୍ରତିଶତ ହ୍ରାସ ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନର ସେକ୍ରେଟାରୀ ଜେନେରାଲ ପେଟେରି ଟାଲାସ୍ ଚେତାବନୀ ଦେଇଛନ୍ତି । ଯଦି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ୨୦୩୦ ମସିହା ସୁଦ୍ଧା ଆଫ୍ରିକା ଲୋକସଂଖ୍ୟାର ପ୍ରାୟ ୧୦ ପ୍ରତିଶତ (୧୨ କୋଟି) ମରୁଡି ଓ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି କୁହାଯାଇଛି ।

ଏହି ୧୨ କୋଟି ଲୋକ ଅତ୍ୟନ୍ତ ଦରିଦ୍ର ହୋଇଥିବାବେଳେ ସେମାନଙ୍କର ଦୈନିକ ରୋଜଗାର ୨ ଡଲାରରୁ କମ ବୋଲି ଆକଳନ କରାଯାଇଛି । ଆଫ୍ରିକାର ସାଉଥ୍ ସୁଦାନରେ ପ୍ରବଳ ବନ୍ୟା ଦେଖାଦେଇଥିବାବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତ ମହାସାଗରରେ ଅବସ୍ଥିତ ମାଡାଗାସ୍କର ରାଷ୍ଟ୍ରରେ ମରୁଡି ପରିସ୍ଥିତି ଉପୁଜିଛି । ଆଫ୍ରିକା ମହାଦେଶକୁ ଜଳବାୟୁ ପରିବର୍ତ୍ତନ ଜନିତ ଦୁର୍ବିପାକରୁ ରକ୍ଷା କରିବାକୁ ୩ ଟ୍ରିଲିୟନ ଡଲାର ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking