38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶ୧୩ ବର୍ଷ ପରେ ଜମ୍ମୁ-କଶ୍ମୀରରେ ଭାରତୀୟ ବାୟୁସେନାର ଏୟାର୍ ଶୋ’

୧୩ ବର୍ଷ ପରେ ଜମ୍ମୁ-କଶ୍ମୀରରେ ଭାରତୀୟ ବାୟୁସେନାର ଏୟାର୍ ଶୋ’

ଶ୍ରୀନଗର: ଦୀର୍ଘ ୧୩ ବର୍ଷରେ ଭାରତୀୟ ବାୟୁସେନା ଜମ୍ମୁ-କଶ୍ମୀରର ଶ୍ରୀନଗରରେ ‘ଏୟାର୍ ଶୋ’ କରିଛି । ପ୍ରଖ୍ୟାତ ଡଲ୍ ହ୍ରଦର ଆକାଶରେ ବାୟୁସେନାର ସୁଖୋଇ, ମିଗ୍‌-୨୧ ଫାଇଟର୍ ଜେଟ୍ କୌଶଳ ପ୍ରଦର୍ଶନ କରିଛନ୍ତି । ଏହି ଏୟାର୍ ଶୋ’ର ଉଦ୍ଦେଶ୍ୟ କଶ୍ମୀର ଯୁବକଙ୍କ ଭାରତୀୟ ସେନାରେ ସାମିଲ ପାଇଁ ପ୍ରେରିତ କରିବା ଥିଲା । ଏୟାର୍ ଶୋ’ ଦେଖି ଦର୍ଶକମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା । ଏହି ଏୟାର୍ ଶୋ’ ମଜା ନେବା ପାଇଁ ଡଲ୍ ହ୍ରଦ କୂଳରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ଏଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ । ଫାଇଟର୍ ଜେଟ୍ସ ହ୍ରଦର ଆକାଶରେ ଦେଖାଦେବା ମାତ୍ରେ ଲୋକମାନେ ତାଳି ପଜାଇଥିଲେ । ଏନ୍‌ସିସି କ୍ୟାଡେଟ୍ସଙ୍କ ସମେତ ସେଠାରେ ଉପସ୍ଥିତ ଲୋକେ ନିଜ ନିଜର ମୋବାଇଲ୍ ଫୋନ୍‌ରେ ଏହାର ଫଟୋ ଉଠାଇଥିଲେ । ଏହି ଶୋ’ ଦେଖିବା ପାଇଁ ୫ ହଜାର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୧୦ ହଜାର ଲୋକ ଉପସ୍ଥିତ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି । କାର୍ଯ୍ୟକ୍ରମର ନାମ ‘ଗିଭ୍ ୱିଙ୍ଗ୍‌ସ ଟୁ ୟୋର୍ ଡ୍ରିମ୍ସ’ ରଖାଯାଇଥିଲା ଏବଂ ଏହା ମାଧ୍ୟମରେ କଶ୍ମୀର ଯୁବବର୍ଗକୁ ପ୍ରେରିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଫଳରେ ସେମାନେ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରତିବଦ୍ଧ ହୋଇପାରିବେ । ମନ୍ତଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଚାଲିଥିବା ସମାରୋହର ଅଂଶସ୍ୱରୂପ ଶ୍ରୀନଗର ବାୟୁସେନା ଷ୍ଟେସନ୍ ପକ୍ଷରୁ ଡଲ୍ ହ୍ରଦ ଉପରେ ଏହି ଏୟାର୍ ଶୋ’ ଆୟୋଜିତ କରାଯାଇଥିଲା । ଏହି ଶୋ’ କେବଳ ଦର୍ଶକଙ୍କୁ ମନ୍ତମୁଗ୍ଧ କରିନଥିଲା, ବରଂ ଏହାକୁ କଶ୍ମୀରରେ ପରିବର୍ତ୍ତନର ପ୍ରତୀକ ଭାବେ ଦେଖାଯାଇଥିଲା । ଶୋ’ରେ ଫାଇଟର୍ ଜେଟ୍ସ ବ୍ୟତୀତ ଆକାଶ ଗଙ୍ଗା ପାରାଟ୍ରୁପର୍ସ ଏବଂ ମୋଟରାଇଜ୍‌ଡ ଗ୍ଲାଇଡର ମଧ୍ୟ ସାମିଲ ଥିଲା । ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଡଲ୍ ହ୍ରଦର ଜଳରାଶି ଉପରେ ତିନୁକ୍ ହେଲିକପ୍ଟରର ଉଡାଣ ସହ ଶୋ’ର ସମାପନ ହୋଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଏୟାର୍ ଶୋ’କୁ ବିଶେଷ ଭାବେ ଯୁବ ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଶୋ’ର ଆରମ୍ଭ ପାରା-ମୋଟର ଓ ପାରା-ହ୍ୟାଙ୍ଗ୍ ଗ୍ଲାଇଡର୍ ପ୍ରଦର୍ଶନ ସହ ହୋଇଥିଲା । ଏହାପରେ ମିଗ୍‌-୨୧ ବାଇସନ୍ ତ୍ରିକୋଣୀୟ ୩ ଏୟାରକ୍ରାଫ୍‌ଟ ଫର୍ମେସନ୍‌ରେ ଉଡାଣ କରିଥିଲେ । ବାୟୁସେନାର କାଇଡାଇଭିଂ ଟିମ୍ ଆକାଶଗଙ୍ଗା ଡଲ୍ ହ୍ରଦ ଉପରେ ଏମ୍‌ଆଇ-୧୭ ହେଲିକପ୍ଟରରୁ ଲମ୍ଫ ପ୍ରଦାନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହାପରେ ସୁଖୋଇ ୨୦ ଏମ୍‌କେଆଇ କୌଶଳ ପ୍ରଦର୍ଶନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking