40.1 C
Bhubaneswar
Thursday, April 25, 2024
Homeଓଡିଶାକୃଷି ବିଭାଗ ପକ୍ଷରୁ ଡିବିିଟି ପ୍ରଦାନ ନିମନ୍ତେ ନୂତନ ଏସ୍‌ଓପି 

କୃଷି ବିଭାଗ ପକ୍ଷରୁ ଡିବିିଟି ପ୍ରଦାନ ନିମନ୍ତେ ନୂତନ ଏସ୍‌ଓପି 

ଭୁବନେଶ୍ୱର : ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ଏହା ଦ୍ୱାରା ଚାଷୀମାନଙ୍କୁ ସେମାନଙ୍କ ପସନ୍ଦର କୃଷି ସାମଗ୍ରୀ କିଣିବା ପାଇଁ ସ୍ୱତନ୍ତ୍ରତା ମିଳିବା ସହିତ ଏଥିରେ ଅଧିକ ସ୍ୱଚ୍ଛତା ଅଣାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶାନୁସାରେ ବିଭାଗ ପକ୍ଷରୁ ପ୍ରଦର୍ଶନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଡିବିଟି ପ୍ରଦାନ କ୍ଷେତ୍ରରେ ନୂତନ ଏସ୍‌ଓପି ଜାରି କରାଯାଇଛି ।

ପ୍ରକାଶ ଯେ, ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରେ ଯଥା ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ ଉଦ୍ୟାନ କୃଷି ମିଶନ ଆଦିରେ ଅଣୁସାର ଏବଂ କୀଟନାଶକରେ ରିହାତି ଯୋଗାଇ ଦିଆଯାଉଛି । ମାଟିର ଉର୍ବରତା ନିମନ୍ତେ ଅଣୁସାର ପାଇଁ ସର୍ବାଧିକ ୨ ହେକ୍ଟର ଜମି ନିମନ୍ତେ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି । ଏଥିରେ ଚାଷୀମାନେ ନିଜ ପସନ୍ଦ ମୁତାବକ ଅଣୁସାର, କୀଟନାଶକ, ଜିପସମ୍‌, ବାୟୋ ଫର୍ଟିଲାଇଜର, ଅର୍ଗାନିକ୍ ସାର ଆଦି କ୍ରୟ କରିବାର ସୁଯୋଗ ପାଉଥିଲେ ଓ ବିଭାଗ ପକ୍ଷରୁ ଏହାର ରିହାତି ଡିବିଟି ମାଧ୍ୟମରେ ପାଉଥିଲେ । ଅପରପକ୍ଷରେ ପ୍ରଦର୍ଶନ କାର୍ଯ୍ୟକ୍ରମର ବିଭିନ୍ନ ଯୋଜନାରେ ଆବଶ୍ୟକୀୟ କୃଷି ସାମଗ୍ରୀ ବିଭାଗ ପକ୍ଷରୁ କ୍ରୟ କରାଯାଇ ଏ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିଲା । କ୍ଷେତ୍ର କୃଷି ଅଧିକାରୀମାନେ ଟେଣ୍ଡର ମାଧ୍ୟମରେ ଅଣୁସାର, କୀଟନାଶକ, ତୃଣନାଶକ କ୍ରୟ କରି ହିତାଧିକାରୀମାନଙ୍କୁ ବଣ୍ଟନର ବ୍ୟବସ୍ଥା ଥିଲା । ମାତ୍ର ଏଥିରେ ଚାଷୀଙ୍କୁ ତାଙ୍କ ପସନ୍ଦର କୃଷି ସାମଗ୍ରୀ ଆଦି କ୍ରୟ ଓ ବ୍ୟବହାର ନିମନ୍ତେ ସୁଯୋଗ ମିଳୁନଥିଲା । ନୂତନ ବ୍ୟବସ୍ଥାରେ ଚାଷୀମାନଙ୍କୁ ସେମାନେ ଚାହୁଁଥିବା ଅଣୁସାର, କୀଟନାଶକ ଆଦି କ୍ରୟ କରିବା ନିମନ୍ତେ ସୁଯୋଗ ମିଳିବ ଏବଂ କ୍ରୟ ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏହା ଫଳରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ମିଳୁଥିବା ରିହାତି ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking