27.8 C
Bhubaneswar
Friday, April 19, 2024
Homeଓଡିଶାମୁଣ୍ଡ ଉପରେ ସମବାୟ ନିର୍ବାଚନ, ସ୍ଥାୟୀ ସମ୍ପାଦକ ପଦବୀ ଖାଲି : କା’ରେ ଚାଲିଛି ୫୮୧...

ମୁଣ୍ଡ ଉପରେ ସମବାୟ ନିର୍ବାଚନ, ସ୍ଥାୟୀ ସମ୍ପାଦକ ପଦବୀ ଖାଲି : କା’ରେ ଚାଲିଛି ୫୮୧ କୃଷି ସମବାୟ ସମିତି

ଭୁବନେଶ୍ୱର: ମୁଣ୍ଡ ଉପରେ ସମବାୟ ନିର୍ବାଚନ । ଅର୍ଥାତ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଜୁନ୍ ୧୯ ଓ ଜୁନ୍ ୨୬ରେ ହେବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌର ଓ ପଞ୍ଚାୟତ ନିର୍ବାଚନ ଭଳି ବାଜିମାତ୍ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାଜ୍ୟରେ ଥିବା ୫୮୧ଟି ପ୍ରାଥମିକ କୃଷି ସମବାୟ ସମିତିରେ ସ୍ଥାୟୀ ସମ୍ପାଦକ ପଦବୀ ଦୀର୍ଘ ଦିନରୁ ଖାଲିପଡ଼ିିଛି । ଏବେ କେବଳ ସେସବୁ ସମିତିଗୁଡ଼ିକ କା’ରେ ହିଁ ଚାଲିଛି । ତେବେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଏସବୁ ସ୍ଥାୟୀ ପଦବୀ ପୂରଣ ହେବା କଥା । ମାତ୍ର କାହିଁକି ପୂରଣ ହୋଇନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

ମିଳିଥିବା ସୂଚନାନୁସାରେ ଓଡ଼ିିଶାରେ ମୋଟ୍ ୬,୪୦୦ରୁ ଅଧିକ ପ୍ରାଥମିକ ସମବାୟ ସମିତି ରହିଛି । ଏଥିରେ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ଅନ୍ତର୍ଭୁକ୍ତ । ଏହାଛଡ଼ା ୧୨୭ଟି କେନ୍ଦ୍ରୀୟ ଏବଂ ୧୯ଟି ସର୍ବୋଚ୍ଚ ସମବାୟ ସମିତି କାର୍ଯ୍ୟ ସମ୍ପାଦନା କରୁଛନ୍ତି । ଏହି ସମିତିଗୁଡ଼ିିକର ନିର୍ବାଚନ ଶେଷଥର ପାଇଁ ୨୦୧୫ରେ ଅନୁଷ୍ଠିତ ହୋଇଥିଲା । ସେହିପରି ୧,୯୨୬ ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ଜାନୁୟାରୀ ୨୦୨୦ରେ ଶେଷ ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ଆର୍ôଥକ ଅବସ୍ଥା କାରଣରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ନିର୍ବାଚନ ମାହୋଲ ସରଗରମ୍ ହୋଇଥିଲାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ କୃଷି ସମବାୟ ସମିତିର ସାମଗ୍ରୀକ ବିକାଶକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ଏହି ଅଭିଯୋଗ ବି ଅମୂଳକ ନୁହେଁ । କାରଣ ସମଗ୍ର ରାଜ୍ୟରେ ବର୍ତ୍ତମାନ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟରୁ ୫୮୧ଟି ସମିତିରେ ସ୍ଥାୟୀ ସମ୍ପାଦକ ପଦବୀ ଖାଲି ରହିଛି । ନିୟମିତ ସମ୍ପାଦକ ନଥିବାରୁ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନାହିଁ । ଚାଷୀ ଓ ସାଧାରଣ ଲୋକେ ନାନା ହଇରାଣ ଓ ହର୍‌କତ ହେଉଛନ୍ତି । ରାଜ୍ୟ ସରକାରଙ୍କ ସମବାୟ ବିଭାଗର ନିର୍ଦ୍ଦେଶକ୍ରମେ ସମିତିରେ ସହସମ୍ପାଦକ କିମ୍ବା ନିକଟସ୍ଥ ସମବାୟ ସମିତିର ସମ୍ପାଦକମାନେ ଅତିରିକ୍ତ କାର୍ଯ୍ୟଭାର ନେଇ ସମ୍ପାଦକଭାବେ କାର୍ଯ୍ୟଭାର ତୁଲାଉଛନ୍ତି ।

ଅନୁସନ୍ଧାନରୁ ମିଳିଥିବା ତଥ୍ୟାନୁସାରେ ରାଜ୍ୟରେ ଥିବା ୨୭୧୦ କୃଷି ସମବାୟ ସମିତିରେ ୨୧୨୯ ମଞ୍ଜୁରୀପ୍ରାପ୍ତ ଓ ସ୍ଥାୟୀ ସମ୍ପାଦକ ପଦବୀ ରହିଛି । ଏଥିରୁ ଅନୁଗୁଳରେ ୧୯ ସ୍ଥାୟୀ ସମ୍ପାଦକ ପଦବୀ ଖାଲି ଥିବାବେଳେ ବାଲୋଶ୍ୱରରେ ୫୨ ପଦବୀ ଖାଲି ପଡ଼ିଛି । ସେହିପରି ବରଗଡ଼ରେ ୨୫ ସ୍ଥାୟୀ ସମ୍ପାଦକ ପଦବୀ ଖାଲି ପଡ଼ିଥିବାବେଳେ ବାରିପଦାରେ ୬, ବ୍ରହ୍ମପୁରରେ ୬୧, ବଲାଙ୍ଗୀରରେ ୪୧, କଟକ-୧ରେ ୩୬, କଟକ-୨ରେ ୧୩୦, ଢେଙ୍କାନାଳରେ ୧୫, ଜୟପୁରରେ ୨୮, କଳାହାଣ୍ଡିରେ ୨୧, କେନ୍ଦୁଝରରେ ୧୦, ଖୋର୍ଦ୍ଧାରେ ୧୨, ଫୁଲବାଣୀରେ ୫୯, ପୁରୀରେ ୯ ସ୍ଥାୟୀ ପଦବୀ ଖାଲି ପଡ଼ିଛି । ଅନ୍ୟପକ୍ଷରେ ରାୟଗଡାରେ ୯,ସମ୍ବଲପୁର-୧ରେ ୧୧ ଓ ସମ୍ବଲପୁର-୨ରେ ୧୧ ଏବଂ ସୁନ୍ଦରଗଡ଼ରେ ୬ ସ୍ଥାୟୀ ସମ୍ପାଦକ ପଦବୀ ଖାଲି ପଡ଼ିଛି ।

ନିର୍ବାଚନ କାରଣରୁ ଆଉ ପଦବୀ ପୂରଣ ସମ୍ଭବ ନୁହେଁ । ତେଣୁ ନିର୍ବାଚନ ପରିଚାଳନାବେଳେ ଅଧିକାରୀଙ୍କ ଅଭାବ ସମସ୍ୟା ନିଶ୍ଚୟ ସମସ୍ୟା ସୃଷ୍ଟି କରିବ । ଏବିଷୟରେ ଆମେ ସମବାୟ ବିଭାଗର ମତ ଲୋଡ଼ିଥିଲୁ । ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ପଦାଧିକାରୀ କହିଥିଲେ, ନିର୍ବାଚନ ପରେ ପର୍ଯ୍ୟାୟକ୍ରମେ ଖାଲିଥିବା ସ୍ଥାୟୀ ସମ୍ପାଦକ ପଦବୀ ପୂରଣ କରାଯିବ । ଏନେଇ ସମବାୟ ସମିତି ସମୂହର ଓଡ଼ିଶାର ନିବନ୍ଧକ, ସମସ୍ତ ଉପନିବନ୍ଧକ, ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏଇ ପ୍ରତିଶ୍ରୁତି ପାଳନ ହେଉଛି ନା’ ପାଣିର ଗାର ସଦୃଶ ହେଉଛି ତାହା ଦେଖିବା କଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking