ଫେସବୁକ୍‌ରେ ମହିଳାଙ୍କ ନାମରେ ନକଲି ଆଇଡି ଖୋଲିବା ପଡ଼ିଲା ମହଙ୍ଗା

କଟକ : ଫେସ୍‌ବୁକ୍‌ରେ ମହିଳାଙ୍କ ନାମରେ ନକଲି ଆଇଡି ଖୋଲୁଥିଲେ। ତା’ ଜରିଆରେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ମାଗୁଥିଲେ। ଟଙ୍କା ମିଳିବା ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲୁଥିଲା। ଟଙ୍କା ମିଳିବା ବନ୍ଦ ହେଲେ ଏକୁଟିଆ ସ୍ଥାନକୁ ଡକାଇ ମାଡ଼ ମାରୁଥିଲେ। ଏଭଳି କାଣ୍ଡ କରୁଥିବା‌ ଦୁଇଜଣ ଯୁବକଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍‌ ହୋଇ ଯାଇଛନ୍ତି।

ଜଣେ ଯୁବକଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ଦୁଇମାସ ତଳେ ସାଲେପୁର ଥାନା ଅନ୍ତର୍ଗତ ତେନ୍ତୋଳ ଗ୍ରାମର ବାବୁନା ଓରଫ ଲକ୍ଷ୍ମଣ କୁମାର ସାହୁ (୩୧) ଓ ଭାତପଡ଼ା ଗ୍ରାମର ପପୁ ଓରଫ ସୁବାସ ଚନ୍ଦ୍ର ସାହୁ (୨୮) ଜଣେ ବିଧବାଙ୍କ ନାମରେ ଫେସବୁକ୍‌ରେ ଏକ ନକଲି ଆଇଡି ଖୋଲି ଅଭିଯୋଗକାରୀ ଭଗବାନ ପ୍ରଧାନଙ୍କୁ ବନ୍ଧୁତ୍ବ ନିମନ୍ତ୍ରଣ ଦେଇଥିଲେ। ବନ୍ଧୁତା ପରେ ସେମାନେ ଭଗବାନଙ୍କୁ ପ୍ରେମଜାଲରେ ଫସାଇ କିଛିଦିନ ଚାର୍ଟିଂ କରିଆସୁଥିଲେ।

ଚାର୍ଟିଂ ସମୟରେ ସେମାନେ ଭଗବାନଙ୍କୁ ଗତ ଅଗଷ୍ଟ ୨ ତାରିଖ ଦିନ ବାରବୋଡ଼ିଆ ଲକ୍‌ ନିକଟକୁ ଡାକିଥିଲେ। ସେମାନେ ରାସ୍ତାରୁ ଭଗବାନଙ୍କୁ ଜୋର ଜବରଦସ୍ତି ମହାନଦୀ ପଠାକୁ ଉଠାଇ ନେଇ ମାଡ଼ ମାରିଥିଲେ ଓ ତାଙ୍କ ନିକଟରୁ ୭,୬୦୦ ଟଙ୍କା ଛଡ଼ାଇ ନେଇ ମାଡ଼ ମାରିବାର ଭିଡିଓ ରେକର୍ଡିଂ କରିଥିଲେ। ମହିଳାଙ୍କ ସହିତ ପ୍ରେମଜନିତ ଚାଟିଂ କରି ମାଡ଼ ଖାଇବାର ଭିଡିଓ ଭାଇରାଲ୍‌ କରିଦେବାକୁ କହି ବ୍ଲାକମେଲିଂ କରି ପଇସା ନେଇଥିଲେ।

ପୁନର୍ବାର ୪ହଜାର ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ଅଭିଯୁକ୍ତ ନେବା ପରେ ଆଉ ୨୦ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନପାଇବାରୁ ସେମାନେ ମାଡ଼ ମାରିବା ସମୟର ଭିଡିଓଟିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଦେଇଥିଲେ। ଏ ସମ୍ପର୍କ ରେ ଜଗତପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here