34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଶିଶୁ ଅଦଳବଦଳ ଘଟଣାର ୪ ମାସ ପରେ ମାଆ କୋଳକୁ ଫେରିଲା ପୁଅ

ଶିଶୁ ଅଦଳବଦଳ ଘଟଣାର ୪ ମାସ ପରେ ମାଆ କୋଳକୁ ଫେରିଲା ପୁଅ

ମୟୂରଭଞ୍ଜ: ବିଜୟ ଲାଭ କରିଛି ମାଆର ମମତା। ଅବସାନ ଘଟିଛି ଦୀର୍ଘପ୍ରତିକ୍ଷାର । ମାଆ କୋଳକୁ ଲେଉଟିଲା ଶିଶୁପୁତ୍ର। ମନର କୋହକୁ ଛାତିରେ ଚାପିରଖି ଆଖିର ଲୁହକୁ ଆଖିରେ ମାରି ଦୀର୍ଘ ୪ ମାସର ଅପେକ୍ଷା ପରେ ମାଆକୁ ମିଳିଲା ନ୍ୟାୟ । ମାନ୍ୟବର କୋର୍ଟଙ୍କ ରାୟ ପ୍ରକାଶ ପରେ ମାଆ କୋଳକୁ ଫେରିଲା ଶିଶୁପୁତ୍ର । ବାରିପଦା ସ୍ଥିତ ପିଆର୍‌ଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ପୂର୍ଣ୍ଣଛେଦ ପଡିବା ସହିତ ଶେଷରେ ନ୍ୟାୟ ପାଇଲେ ପୁତ୍ରହରା ପରିବାର ।
ଗତ ମଇ ମାସ ୧୧ ତାରିଖ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଦୁଇଟି ନବଜାତ ଶିଶୁ ଅଦଳବଦଳ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣା ଅନୁସାରେ ଅପ୍ରେଲ ୨୬ ତାରିଖ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣୀ ଗ୍ରାମର କାର୍ତ୍ତିକ ସିଂ ଙ୍କର ସ୍ତ୍ରୀ ରଇବାରୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଶିଶୁଟି ଅସୁସ୍ଥ ଥିବାରୁ ତାକୁ ଏସ୍‌ଏନ୍‌ସିୟୁ ରେ ଭର୍ତ୍ତି କରା ଯାଇଥିଲା । ପୁଣି ବ୍ରଜମୋହନ ସିଂ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ସମାନ ନାମଧାରୀ ରଇବାରୀ ନାମକ ଅନ୍ୟଜଣେ ମହିଳା ୪ ତାରିଖରେ ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ କାର୍ତ୍ତିକଙ୍କ ଅସୁସ୍ଥ ଥିବା ଶିଶୁପୁତ୍ରଟିର ମୃତ୍ୟୁ ହୋଇ ଯାଇଥିଲା । ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ସାଙ୍ଗକୁ ଚରମ ଅବହେଳା କାରଣରୁ କାର୍ତ୍ତିକ ଏବଂ ବ୍ରଜମୋହନଙ୍କ ଶିଶୁପୁତ୍ର ଅଦଳବଦଳ ହୋଇଯାଇଥିଲା । ଏକଥା ଜାଣିପାରି ୧୨ ତାରିଖ ଦିନ ମେଡିକାଲ କର୍ତ୍ତୃପକ୍ଷ ଚଞ୍ଚକତା କରି କାର୍ତ୍ତିକ ଓ ତାଙ୍କ ସ୍ତ୍ରୀଙ୍କୁ ମେଡିକାଲ ଡାକି ଶିଶୁଟିକୁ ନେଇ ଯାଇଥିଲେ । ମେଡ଼ିକାଲ କତ୍ତୃପକ୍ଷଙ୍କ ଚଞ୍ଚକତାର ଶିକାର ହୋଇ ନିଜ ଜନ୍ମିତ ପୁଅକୁ ହରାଇବାର ଦୁଃଖରେ ଭାଙ୍ଗି ପଡିଥିବା ପରିବାର ପକ୍ଷରୁ ଏନେଇ ଅଭିଯୋଗ ଆଣିବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ଯାହାକୁ ନେଇ ଉପଯୁକ୍ତ ତଦନ୍ତ ହେବା ସହିତ ୭ ଦିନ ଭିତରେ ଡିଏନ୍‌ଏ ରିପୋର୍ଟ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ କାର୍ତ୍ତିକଙ୍କ ପରିବାର ଲୋକେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ତେବେ ଦୀର୍ଘଦିନ ଧରି ଧୈର୍ଯ୍ୟ ରଖିବା ପରେ ନିଜ ସନ୍ତାନ ବିଷୟରେ କୌଣସି ସଠିକ୍ ଖବର ନ ପାଇ ବ୍ରଜମୋହନ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ଏ ଘଟଣାର ରାୟ ପ୍ରକାଶ ପାଇଛି । ଡିଏନ୍‌ଏ ଟେଷ୍ଟ ଏବଂ ମାନ୍ୟବର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ରାୟ ପ୍ରକାଶ ପାଇବା ପରେ ନିଜ ମାଆ କୋଳକୁ ଫେରିଛି ଶିଶୁପୁତ୍ର । ତେବେ ପୁତ୍ରହରା ମାଆ ସହିତ ଶିଶୁପୁତ୍ରକୁ ନ୍ୟାୟ ମିଳିଥିବା କହିଛନ୍ତି ବ୍ରଜମୋହନଙ୍କ ଓକିଲ ।

ଅନ୍ୟପଟେ ଏତେ ଦିନ ଧରି ବାପା-ମାଆ ନିଜ ସନ୍ତାନକୁ ପାଇବା ଆଶାରେ ରହିବା ପରେ ଏବେ ନ୍ୟାୟ ପାଇବା ପରେ ବେଶଖୁସି ଥିବା କହିଛନ୍ତି ଶିଶୁର ବାପା-ମାଆ ।

ତେବେ ଏତେଦିନ ପରେ ବାପା-ମାଆଙ୍କୁ ନ୍ୟାୟ ତ ମିଳିଲା । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ଯୋଗୁଁ ନବଜାତ ଶିଶୁ ବଦଳ ଘଟଣା ଯୋଗୁଁ ଦୁଇଦୁଇଟି ପରିବାର ନାହିଁ ନଥିବା ମାନସିକ ନିର୍ଯ୍ୟାତନାର ଶିକାର ହେବା ସହିତ ଆଶାଆଶଙ୍କା ଭିତରେ ଦୀର୍ଘ ୪ ମାସ ଧରି ନ୍ୟାୟ ଅପେକ୍ଷାରେ ରହିଲେ । ତେବେ ରାୟ ପ୍ରକାଶ ପରେ ଶିଶୁପୁତ୍ର ସିନା ମାଆ କୋଳକୁ ଫେରିଲା, ହେଲେ ଅବହେଳା କରିଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କି ପଦକ୍ଷେପ ନିଆ ଯାଉଛି, ତାହା ହିଁ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking