ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍ ଓ ହିଣ୍ଡେନବର୍ଗ ମାମଲାର ତଦନ୍ତ ନିମନ୍ତେ ଗୁରୁବାର ସୁପ୍ରିମକୋର୍ଟଙ୍କ ତରଫରୁ ଏକ ୬ ଜଣିଆ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ.ସାପ୍ରେ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅନ୍ୟ ସଦସ୍ୟମାନେ ହେଲେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ.ପି.ଦେବଧର, ଓ.ପି.ଭଟ୍ଟ୍, କେ.ଭି.କାମଥ୍, ନନ୍ଦନ ନିଲେକାନି ଓ ସୋମଶେଖର ସୁନ୍ଦରେସନ । ଆସନ୍ତା ଦୁଇମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛିି । ଜଷ୍ଟିସ ସାପ୍ରେ ୨୦୧୪ ଅଗଷ୍ଟ ୧୩ରୁ ୨୦୧୯ ଅଗଷ୍ଟ ୨୭ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବିଚାରପତିଭାବେ କାର୍ଯ୍ୟ କରିସାରିଛନ୍ତି ।
ସୁପ୍ରିମକୋର୍ଟ ଆସିବା ପୂର୍ବରୁ ସେ ମଣିପୁର ଓ ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଜଷ୍ଟିସ ଦେବଧର ବମ୍ବେ ହାଇକୋର୍ଟର ଜଜ୍ଭାବେ କାର୍ଯ୍ୟ କରିଥିବାବେଳେ ସିକ୍ୟୁରିଟିଜ୍ ଆପେଲେଟ୍ ଟ୍ରିବ୍ୟୁନାଲର ପ୍ରିଜାଇଡିଂ ଅଫିସରଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଓ.ପି.ଭଟ୍ଟ୍ ହେଉଛନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ପୂର୍ବତନ ଅଧ୍ୟକ୍ଷ । ବର୍ତ୍ତମାନ ସେ ଓଏନ୍ଜିସି, ଟାଟା ଷ୍ଟିଲ ଓ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ପରିଚାଳନା ବୋର୍ଡରେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । କେ.ଭି.କାମଥ୍ ହେଉଛନ୍ତି ବ୍ରିକ୍ସ ରାଷ୍ଟ୍ରସମୂହ ଦ୍ୱାରା ସ୍ଥାପିତ ନିଉ ଡେଭେଲପ୍ମେଣ୍ଟ ବ୍ୟାଙ୍କ୍ ମୁଖ୍ୟଭାବେ କାର୍ଯ୍ୟ କରିସାରିଛନ୍ତି ।
ଏବେ ସେ ଇନ୍ଫୋସିସ୍ର ଅଧ୍ୟକ୍ଷ ଅଛନ୍ତି । ନନ୍ଦନ ନିଲେକାନି ହେଉଛନ୍ତି ଇନ୍ଫୋସିସ୍ର ଅନ୍ୟତମ ପ୍ରତିଷ୍ଠାତା । ଆଧାର କାର୍ଡ ପାଇଁ ଗଠିତ ସଂସ୍ଥା ୟୁଆଇଡିଏଆଇ (ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟୀ ଅଫ୍ ଇଣ୍ଡିଆ) ମୁଖ୍ୟଭାବେ ସେ କାର୍ଯ୍ୟ କରିସାରିଛନ୍ତି । ଅପରପକ୍ଷରେ କମିଟିରେ ସ୍ଥାନ ପାଇଥିବା ସୋମଶେଖର ହେଉଛନ୍ତି ପେସାରେ ଜଣେ ଆଇନଜୀବୀ । ବମ୍ବେ ହାଇକୋର୍ଟ ଜଜ୍ ପାଇଁ ତାଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ସୁଦ୍ଧା କେନ୍ଦ୍ର ସରକାର ଆପତ୍ତି ଜଣାଇବାରୁ ଏହା ଆପାତତଃ ସ୍ଥଗିତ ରହିଛି ।
ସୂଚନାଯୋଗ୍ୟ ଅଦାନି ଗ୍ରୁପ୍ର ଜାଲିଆତି ସମ୍ପର୍କରେ ଆମେରିକାର ହିଣ୍ଡେନବର୍ଗ ସଂସ୍ଥା ପକ୍ଷରୁ ଚଳିତବର୍ଷ ଜାନୁଆରୀରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହା ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ୍ରେ ଝଡ ସୃଷ୍ଟି କରିଥିଲା । ଅଦାନି ଗ୍ରୁପ୍ ସେୟାର ମୂଲ୍ୟ ଦିନକୁ ଦିନ ହ୍ରାସ ପାଇଥିବାବେଳେ ଶିଳ୍ପପତି ଗୌତମ ଅଦାନି ମାତ୍ର ଏକମାସ ମଧ୍ୟରେ ୧୦୦ ବିଲିୟନ ଡଲାରରୁ ଅଧିକ ପରିମାଣର ସମ୍ପତ୍ତି ହରାଇଥିଲେ । ଏକଦା ବିଶ୍ୱର ୨ୟ ଧନୀ ବ୍ୟକ୍ତିଭାବେ ମାନ୍ୟତାଲାଭ କରିଥିବା ଅଦାନି ତାଲିକାର ୨୮ତମ ସ୍ଥାନକୁ ଖସିଆସିଛନ୍ତି । ଏହି ପ୍ରସଙ୍ଗ ନେଇ ବିରୋଧୀ ଦଳଗୁଡିକ ସଂସଦରେ ପ୍ରବଳ ହଙ୍ଗାମା କରିଥିବାବେଳେ ସୁପ୍ରିମକୋର୍ଟରେ ମଧ୍ୟ ପିଟିସନ ଦାଏର କରାଯାଇଥିଲା ।