34.1 C
Bhubaneswar
Friday, March 29, 2024
Homeଓଡିଶାଦୁର୍ନୀତି ଅଭିଯୋଗରେ ମାସକରେ ପଞ୍ଚାୟତିରାଜ ବିଭାଗରେ ଗଡିଲା ୧୦ ମୁଣ୍ଡ

ଦୁର୍ନୀତି ଅଭିଯୋଗରେ ମାସକରେ ପଞ୍ଚାୟତିରାଜ ବିଭାଗରେ ଗଡିଲା ୧୦ ମୁଣ୍ଡ

ସାମାନ୍ୟ ଅଭିଯୋଗର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଦୁର୍ନୀତିରେ ଲିପ୍ତ ରହିଲେ ଦଣ୍ଡ ଭୋଗିବା ଯେ ନିଶ୍ଚିତ ତାହା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କଡା କାର୍ଯ୍ୟାନୁଷ୍ଠାନରୁ ଜଳ ଜଳ ହୋଇ ଦିଶୁଛି । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦୁର୍ନୀତି ବିରୁଦ୍ଧରେ ଗ୍ରହଣ କରିଥିବା କଠୋର ଆଭିମୁଖ୍ୟ ଯୋଗୁଁ କେବଳ ଗୋଟିଏ ମାସରେ ୧୦ ମୁଣ୍ଡ ଗଡିଲାଣି । ଏମାନଙ୍କ ମଧ୍ୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରର କର୍ମଚାରୀ ଅଛନ୍ତି । ପ୍ରମାଣ ମିଳିଲେ ଆଗାମୀ ଦିନରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଜେନା ସତର୍କ କରାଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ହଟାଇବାପାଇଁ ‘ଜିରୋ ଟଲେରାନ୍ସ’ ଘୋଷଣା କରିଥିବାବେଳେ ବିଭାଗରେ ବି ମୋ ସରକାର ଓ ୫-ଟି ଲାଗୁ ହୋଇଛି । ତଦନୁଯାୟୀ ଦୁର୍ନୀତି ଆଭାସ ପାଇବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ କେବଳ ଜାନୁୟାରୀ ମାସରେ ୧୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ କରକଟ୍‍ନାସା ପଞ୍ଚାୟତର ସରପଞ୍ଚ ଇଗ୍ନେସିଅସ ହାରୋ ରହିଛନ୍ତି । ନିଜ ପଞ୍ଚାୟତରେ ଷ୍ଟ୍ରିଟ ଲଗାଇବାରେ ଦୁର୍ନୀତି ଯୋଗୁଁ ତାଙ୍କ ବିରୁଦ୍ଧରେ ହୋଇଛି ନିଲମ୍ବନ ଭଳି କଡା କାର୍ଯ୍ୟାନୁଷ୍ଠାନ । ସେହିଭଳି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଏବଂ ଶୋଷ ପଞ୍ଚାୟତର ସରପଞ୍ଚ କାଞ୍ଚନ
ନାୟକ ଆର୍ଥିକ ଅନିୟମିତତା କରି ନିଲମ୍ବିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ବେଟରା ପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସ ଦୀର୍ଘଦିନ ଧରି ପଞ୍ଚାୟତ ବୈଠକ ଡାକୁନଥିବା ଅଭିଯୋଗ ଆସିବାପରେ ତାଙ୍କ ବିରୁଦ୍ଧରେ ବି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ବରଗଡ ଜିଲ୍ଲାର ବରଗଡ ବ୍ଲକ କଳାପାଣି ପଞ୍ଚାୟତର ସରପଞ୍ଚ କେ.ଭି.ରେଡ୍ଡୀ ସରକାରୀ ଅର୍ଥ ହଡପ କରି ନିଲମ୍ବିତ ହୋଇଥିବାବେଳେ ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ହଳଦୀପାଲ ପଞ୍ଚାୟତର ସରପଞ୍ଚ ମଙ୍ଗଲ ହାଂସଦା ବେଆଇନ୍‍ ସଂଙ୍କଳ୍ପ ପାରିତ କରି ଧରାପଡିବାପରେ ନିଲମ୍ବିତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପାତ୍ରପଡା ପଞ୍ଚାୟତର ସରପଞ୍ଚ ଦୁଃଶାସନ ବିଶ୍ୱାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବଣ୍ଟନରେ ଅନିମିତତା କରି ନିଲମ୍ବିତ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକର କେଦାରପୁର ପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ଜେନା ହିତାଧିକାରୀଙ୍କୁ ଠିକଣା ସମୟରେ ବିଲ୍‍ ଅର୍ଥନ ପ୍ରଦାନ ନକରିବା ଅଭିଯୋଗରେ ନିଲ୍ୱମିତ ହୋଇଛନ୍ତି । ସେହିଭଳି ଜଳେଶ୍ୱର ବ୍ଲକର କୋଟସାହି ପରପଞ୍ଚ ମଞ୍ଜୁବାଳା ଓରଫ ମଞ୍ଜୁଲତା ପ୍ରଧାନ ପଲ୍ଲିସଭା ନଡାକିବା ସହିତ ସରକାରୀ ଅର୍ଥ ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଅନଲ ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ମହାନ୍ତି ଆର୍ଥିକ ଅନିୟମିତତା କରି ନିଲମ୍ବିତ ହୋଇଛନ୍ତି ।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ‘ଜିରୋ ଟଲେରାନ୍ସ’ ନୀତି ଗ୍ରହଣ କରାଯାଇଥିବାବେଳେ ଆଗକୁ ଯିଏ ବି ସାମାନ୍ୟ ଦୁର୍ନୀତି କରିବାର ପ୍ରମାଣ ମିଳିବ ତାହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ସତର୍କ କରାଇଦେବା ସହିତ ଅଧିକାରୀମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking