ବାଇକକୁ ଧକ୍କା ଦେଲା କାର ପରେ କାର ଚାଳକ ଏମିତି କଲେ…..

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ, ଦ୍ରୁତ ଗତିରେ ଗାଡି ଚଳାଇବା ଯୋଗୁଁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ରାୟପୁରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ଛତିଶଗଡ଼ର ରାଜଧାନୀ ରାୟପୁରରେ ହୋଇଥିବା ଜଣାପଡିଛି । ଜଣେ କାର୍ ଚାଳକ ଏକ ବାଇକକୁ ପ୍ରଥମେ ଧକ୍କା ଦେଉଛନ୍ତି ଓ ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କିଭଳି ଘୋଷାଡ଼ି ଘୋଷାଡ଼ି ଆଗକୁ ଟାଣି ନେଉଛନ୍ତି, ତାହା ସିସିଟିଭିରେ କଏଦ ହୋଇଛି । ସେହି ସମୟର ଭିଡିଓଟି ଭାଇରାଲ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ଯୁବକ ଗୁରୁତର ଅଛନ୍ତି ।
ସୂଚନା ମୁତାବକ, ଡିସେମ୍ବର ୧୩ରେ ଏକ ବାଇକରେ ଦୁଇ ଯୁବକ ଯାଉଥିବା ବେଳେ ପଛପଟୁ ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା । ଯାହା ଫଳରେ ବାଇକରୁ ଜଣେ ରାସ୍ତା କଡ଼କୁ ପଡ଼ିଯିବା ସହ ଆଉ ଜଣେ କାର ଆଗରେ ପଡ଼ି ଯାଇଥିଲେ । ଏହା ଜାଣି କାର୍ ଚାଳକ କିଛି ସମୟ ପାଇଁ ଅଟକି ଥିଲେ ମଧ୍ୟ ପରେ ସେ ଆଗକୁ ବଢ଼ିଥିଲେ । ଯାହାଦ୍ବାରା ଗାଡ଼ି ଆଗରେ ପଡ଼ିଥିବା ଯୁବକ କାର ସହ ଘୋଷାଡ଼ି ହୋଇ ଆଗକୁ ଚାଲି ଯାଇଥିଲେ । ତେବେ ଏହି ଘଟଣା ପରେ ବାଇକରେ ବସିଥିବା ଯୁବକ ଅଧିକ ଗୁରୁତର ଥିବା ବେଳେ ଅଭିଯୁକ୍ତ ଚାଳକକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।