ଭୁବନେଶ୍ୱର: ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା, ମୁକ୍ତ ଏବଂ ନିରପେକ୍ଷ ଭାବେ କରିବା ପାଇଁ ରାଜ୍ୟ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୁଲିସ୍ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି । ଭୁବନେଶ୍ୱରସ୍ଥିତ ପୁଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ କହିଲେ ଯେ ଏହି ପର୍ଯ୍ୟାୟରେ ରାଜ୍ୟର ୮ ଜିଲ୍ଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, ପୁରୀ ଓ କଟକରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଗତ ତିନି ପର୍ଯ୍ୟାୟରେ ୧୫ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାୟ ୨୬ ହଜାରରୁ ଊର୍ଦ୍ଧ୍ୱ ବୁଥ୍ରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଛି । ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୯ ପୁଲିସ ଜିଲ୍ଲାରେ ୮୭୫୨ ସ୍ଥାନରେ ୧୦୮୮୨ ବୁଥ୍ ରହିଛି, ସେଥି ମଧ୍ୟରୁ ପାଖାପାଖି ୨୧% ବୁଥ ସମ୍ବେଦନଶୀଳ । ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପାହ୍ୟାର ୩୬ ହଜାର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି; ଯେଉଁଥିରେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୮୬ ପ୍ଲାଟୁନ ଆର୍ମଡ ପୁଲିସ ଫୋର୍ସ ଅଛନ୍ତି । ସେହିପରି ୪୪ ଅତିରିକ୍ତ ଏସପି, ୯୯ ଡିଏସପି, ୨୧୦ ଇନ୍ସପେକ୍ଟର, ୨୫୮୩ ଏସଆଇ/ଏଏସଆଇ ସହ ୯୪୭୬ କନଷ୍ଟେବଳ/ହାବିଲଦାର ଏବଂ ୮୦୮୩ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ୪ ଯୁବ ଆଇପିଏସ ଅଧିକାରୀଙ୍କୁ ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ମୁତୟନ କରାଯାଇଛି । ୮୪୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ୱାବଧାନ କରିବେ । ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ପୁଲିସ ଜିଲ୍ଲାରେ ୬୦ ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇଂସ୍କ୍ୱାର୍ଡ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୯ ପୁଲିସ ଜିଲ୍ଲାରେ ୨୫୫ ଫ୍ଲାଇସ୍କ୍ୱାର୍ଡ ଟିମ୍ ରହିଛନ୍ତି । ଏହାବ୍ୟତୀତ ୨୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୯ ପୁଲିସ ଜିଲ୍ଲାରେ ୧୩ ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇ ସ୍ତରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ଚାଲିଛି । ଜାନୁୟାରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୭ କୋଟି ଟଙ୍କା ଜବତ କରାଯାଇଛି । ପ୍ରାୟ ୯୧.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି । ୭ ଲକ୍ଷ ୧୩୦ ଲିଟର ମଦ ଜବତ କରା ଯାଇଥିବା ବେଳେ ୪୦୩୦ ବେପାରୀଙ୍କୁ ଗିରଫ କରାଯାଇଛି । ୧୧ ଜଣଙ୍କୁ ଏନ୍ଏସ୍ଏରେ ବୁକିଂ କରାଯାଇଛି । ୮୬୦.୭୮କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନ ସୁଗର, ୪୬୩୦ ଲିଟର କଫ ସିରଫ ଜବତ କରାଯାଇଛି । ୧୨୦୫ ମାମଲା ପଞ୍ଜୀକରଣ କରାଯାଇଥିବା ବେଳେ ୧୨୫୮ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ କମିଶନରେଟ ପୁଲିସ ଅଞ୍ଚଳରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି । ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯିବା ନିମନ୍ତେ ସମସ୍ତ କ୍ଷେତ୍ରରେ ନିରପେକ୍ଷ ଭୂମିକା ଗ୍ରହଣ କରାଯାଉଛି । କୌଣସି କ୍ଷେତ୍ରରେ ପକ୍ଷପାତିତା କରାଯିବନି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ସମସ୍ତ ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି ନିୟନ୍ତ୍ରଣଧୀନ ଅଛି । ଶେଷ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଡିଜିପି । ଏହା ସହ ଚଳିତ ନିର୍ବାଚନରେ ଦିନ ରାତି ପରିଶ୍ରମ କରୁଥିବା ପୁଲିସ କର୍ମଚାରୀଙ୍କ ତ୍ୟାଗ ପାଇଁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।