ନବରଙ୍ଗପୁର : ଅଫିସର ହେବ ତ ଏମିତି ହେବ । ଅସହାୟ, ଗରିବଙ୍କୁ ଦେଖି ଯିଏ, ତୁରନ୍ତ ବଢ଼ାଉଥିବ ସାହାଯ୍ୟର ହାତ । ଏମିତି ଜଣେ ସରକାରୀ ଅଧିକାରୀଙ୍କ କାର୍ଯ୍ୟ ଚର୍ଚ୍ଚା ସାଉଁଟିଛି । ରାସ୍ତାରେ ଚାଲି ଚାଲି ଯାଉଥିବା ବୃଦ୍ଧାଙ୍କୁ ନିଜ ଗାଡ଼ିରେ ବସାଇ ଘରେ ନେଇ ଛାଡ଼ିଲେ ବିଡିଓ । ଏହାସହ ତାଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଲେ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏମିତି ଏକ ଭିଡିଓ । ପ୍ରଚଣ୍ଡ ଖରାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ତେନ୍ତୁଳିଖୁଣ୍ଟି ଆସିଥିଲେ ଗୌଡ଼ଗୁଡା ଗାଁର ବୃଦ୍ଧା ସୁନାଦେଇ ବାଘ ।
ଆଉ ୩ କିମି ଦୂର ନିଜ ଗାଁକୁ ଚାଲି ଚାଲି ଫେରୁଥିଲେ । ଅଣ୍ଟା ନଇଁଯାଇଛି । ଥିରି ଥିରି ଚାଲୁଛନ୍ତି । ଅସହାୟ ବୃଦ୍ଧାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ ବିଡିଓ । ନିଜ ଗାଡ଼ିରେ ବସାଇ ଘରେ ନେଇ ଛାଡିଛନ୍ତି ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ । କେବଳ ସେତିକି ନୁହେଁ ବୃଦ୍ଧା ସୁନାଦେଇଙ୍କୁ ସରକାରୀ ସୁବିଧା ସବୁ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଏହାସହ ସୁନାଦେଇଙ୍କ ପାଇଁ ଏକ ହୁଇଲ୍ ଚେୟାର ଯୋଗାଇ ଦେବାକୁ ବିଏସ୍ଏସ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ ମନୋଜ ପାଣିଗ୍ରାହୀ । ବିଡିଓଙ୍କ ଏଭଳି ବଦାନ୍ୟତା ହୃଦୟ ଜିଣିନେଇଛି ।









