ଭୁବନେଶ୍ବର: ଓଡ଼ିଶାରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ସାରା ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ଆସିଥିବା ୧୬ ଅଭିଯୋଗରୁ ୩ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସ୍ପଷ୍ଟ ହୋଇଛି । ବାକି ୧୩ ଅଭିଯୋଗ ନେଇ ତଦନ୍ତ ଚାଲିଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଉପ-ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ।ଓଡ଼ିଶାରେ ଅଂଶୁଘାତ ଜନିତ ମୃତ୍ୟୁକୁ ଏଡାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ନିଆଯାଇଛି । ତଥାପି ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂଚନା ସାମ୍ନାକୁ ଆସିଛି । ଅଂଶୁଘାତ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଡଭାଇଜରୀ ଜାରି କରାଯାଇଛି । ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, କୃଷି, ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଏବଂ ଶକ୍ତି ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଏସଓପି ଜାରି ହୋଇଛି । ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଘରୁ ନବାହାରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି । ଅଂଶୁଘାତରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ଲୋକଙ୍କୁ ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫଣ୍ଡରୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯାଉଛି ।










