ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ତଥା ବିଶ୍ୱ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସର ପ୍ରସ୍ତୁତି ପାଇଁ ୟୁରୋପରେ ଟ୍ରେନିଂ କରିବେ । କୋଚ୍ କ୍ଲାସ୍ ବାର୍ଟିନିଟ୍ଜ ଏବଂ ଫିଜିଓ ଈଶାନ୍ ମାରୱାହଙ୍କ ସହିତ ୟୁରୋପରେ ନୀରଜଙ୍କ ୬୦ ଦିନିଆ ପ୍ରଶିକ୍ଷଣ ଯୋଜନାକୁ କ୍ରୀଡ଼ା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି । ନୀରଜଙ୍କ ସହିତ ପହେଲମାନ ବିନେଶ ଫୋଗଟ୍, ଲଙ୍ଗ୍ ଜମ୍ପର୍ ଶୈଲୀ ସିଂହ ଏବଂ ଭାରତୀୟ ଶୁଟର୍ମାନେ ମଧ୍ୟ ବିଦେଶରେ ଟ୍ରେନିଂ କରିବେ ।
ଟୋକିଓ ଅଲିମ୍ପିକ୍ରେ ପ୍ରଥମ ଭାରତୀୟ ଭାବେ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ପଦକ ଜିତି ଇତିହାସ ରଚିଥିବା ନୀରଜ ମେ ୨୯ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ୟୁରୋପର ବିଭିନ୍ନ ଭେନ୍ୟୁରେ ଟ୍ରେନିଂ କରିବେ । ତାଙ୍କ ବିମାନ ଯାତ୍ରା, ରହିବା-ଖାଇବା, ବୀମା, ସ୍ଥାନୀୟ ପରିବହନ ଖର୍ଚ୍ଚ ବ୍ୟତୀତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମାନଦଣ୍ଡ ଅନୁସାରେ ଭତ୍ତା ମଧ୍ୟ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ (ଟପ୍ସ) ଅଧୀନରେ ବହନ କରାଯିବ ।
ସେହିପରି ମନ୍ତ୍ରଣାଳୟର ମିଶନ୍ ଅଲିମ୍ପିକ୍ ସେଲ୍ (ଏମ୍ଓସି) ଏସିଆନ୍ ସ୍ୱର୍ଣ୍ଣ ପଦକ ବିଜେତା ମହିଳା ପହେଲମାନ୍ ବିନେଶ ଫୋଗଟ୍ଙ୍କ ଟ୍ରେନିଂ ଯୋଜନା ପାଇଁ ରାଜି ହୋଇଛି । ଷ୍ଟ୍ରେଙ୍ଗ୍ଥ୍ ଓ କଣ୍ଡିସନିଂ କୋଚ୍ ୱେନ୍ ପାଟ୍ରିକ୍ ଲୋମ୍ବାର୍ଡଙ୍କ ସହ ଜୁନ୍ ୧୦ରୁ ୨୧ ତାରିଖ ପର୍ଯ୍ୟନ୍ତ ହଙ୍ଗେରୀରେ ଅନ୍ତର୍ଜାତୀୟ ଟ୍ରେନିଂ କ୍ୟାମ୍ପ୍ରେ ଟ୍ରେନିଂ ପାଇଁ ବିନେଶ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଲଙ୍ଗ୍ ଜମ୍ପର୍ ଶୈଲୀ ସିଂହ ଏବଂ ଭାରତୀୟ ଶୁଟର୍ଙ୍କ ବିଦେଶରେ ଟ୍ରେନିଂକୁ ମଧ୍ୟ ମଞ୍ଜୁରୀ ମିଳିଛି । ୟୁରୋପରେ ଟ୍ରେନିଂ କ୍ୟାମ୍ପ୍କୁ ଜୁନ୍ ୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଲଙ୍ଗ୍ ଜମ୍ପର୍ ଶୈଲୀ ସିଂହଙ୍କ ପ୍ରସ୍ତାବକୁ ମଧ୍ୟ ଏମ୍ଓସି ଅନୁମୋଦନ କରିଛି । ସେ କୋଚ୍ ବବି ଜର୍ଜଙ୍କ ସହିତ ଲିସ୍ବନ୍, ପ୍ୟାରିସ୍, ଏଥେନ୍ସ ଏବଂ ଜେନେଭାରେ ଟ୍ରେନିଂ କରିବେ ।
ଜୁନ୍ ୧୧ ପର୍ଯ୍ୟନ୍ତ ଇଟାଲୀରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପ୍ରେ ନିଜ ନିଜର ବ୍ୟକ୍ତିଗତ କୋଚ୍ଙ୍କ ସହ ଯୋଗଦେବା ପାଇଁ ଶଟ୍ଗନ୍ ଶୁଟର୍ ରାଜେଶ୍ୱରୀ କୁମାରୀ ଏବଂ ମାହେଶ୍ୱରୀ ଚୌହାନ୍ଙ୍କୁ ଅନୁରୋଧକୁ ମଧ୍ୟ ଏମ୍ଓସି ଅନୁମତି ଦେଇଛି । ଅନ୍ୟପକ୍ଷରେ ହାଙ୍ଗ୍ଝୁ ଏସିଆନ୍ ଗେମ୍ସ ବ୍ରୋଞ୍ଜ୍ ବିଜେତା ବ୍ୟାଡ୍ମିଣ୍ଟନ୍ ଷ୍ଟାର୍ ଏଚ୍ଏସ୍ ପ୍ରଣୟଙ୍କ ଜୁନ୍ ୨୦ରୁ ଜୁଲାଇ ୨୨ ପର୍ଯ୍ୟନ୍ତ କୋଚ୍ ରୋହନ ଜର୍ଜ ମାଥ୍ୟୁଜ୍ଙ୍କ ନିଯୁକ୍ତି, ହାଇପରବରିକ୍ ଅକ୍ସିଜେନ୍ ଥେରାପି, ରେଡ୍ ଲାଇଟ୍ ଥେରାପି ସହିତ ରିକଭରି ସର୍ଭିସ୍ ଅନୁରୋଧକୁ କ୍ରୀଡ଼ା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି ।