ନୂଆଦିଲ୍ଲୀ: ଭାରତୀୟ ବକ୍ସର୍ ନିଶାନ୍ତ ଦେବ ବ୍ୟାଙ୍କକ୍ରେ ଚାଲିଥିବା ବକ୍ସିଂ ଅଲିମ୍ପିକ୍ କ୍ୱାଲିଫାୟର୍ସର ସେମିଫାଇନାଲ୍ରେ ପହଞ୍ଚି ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ୟାରିସ୍ରେ ହେବାକୁ ଥିବା ୨୦୨୪ ଅଲିମ୍ପିକ୍ସ କୋଟା ହାସଲ କରିବାରେ ସେ ଭାରତର ପ୍ରଥମ ପୁରୁଷ ତଥା ଚତୁର୍ଥ ବକ୍ସର୍ ହୋଇଛନ୍ତି । ବିଶ୍ୱ ଚାମ୍ପିଅନ୍ଶିପ୍ ବ୍ରୋଞ୍ଜ୍ ବିଜେତା ନିଶାନ୍ତ ଗତ କ୍ୱାଲିଫାୟର୍ସରେ ସାମାନ୍ୟ ବ୍ୟବଧାନରେ କୋଟା ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ତେବେ ଚଳିତ କ୍ୱାଲିଫାୟର୍ସରେ ସେ ୭୧ କେଜି ଓଜନ ବର୍ଗର କ୍ୱାର୍ଟର୍ ଫାଇନାଲ୍ରେ ଶୁକ୍ରବାର ମୋଲ୍ଦୋଭାର ଭାସିଲ୍ ସେବୋଟାରୀଙ୍କ୍ୁ ୫-୦ରେ ହରାଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଟୁର୍ଣ୍ଣାମେଣ୍ଟ୍ରେ ଏହି ବର୍ଗରେ ୫ଟି ସ୍ଥାନ ପାଇଁ ପ୍ରତିଯୋଗିତା ହୋଇଥିଲା । ନିଶାନ୍ତଙ୍କ ଯୋଗ୍ୟତା ଅର୍ଜନ ଫଳରେ ବକ୍ସିଂରେ ଭାରତର ଏହା ଚତୁର୍ଥ କୋଟା ସ୍ଥାନ । ନିଶାନ୍ତଙ୍କ ପୂର୍ବରୁ ମହିଳା ବକ୍ସର୍ ନିଖତ୍ ଜରିନ୍ (୫୦ କେଜି), ପ୍ରୀତ୍ ପୱାର (୫୪ କେଜି) ଏବଂ ଲଭଲିନା ବୋରଗୋହେନ୍ (୭୫ କେଜି) କୋଟା ହାସଲ କରିସାରିଛନ୍ତି । ସେହିପରି ସେମିଫାଇନାଲ୍ରେ ପ୍ରବେଶ ସହିତ ନିଶାନ୍ତ ଭାରତ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସର ୬୧ତମ କୋଟା ହାସଲ କରିଛନ୍ତି । ଭାରତକୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ କୋଟା ଶୁଟିଂରେ ମିଳିଛି ।
ଟୁର୍ଣ୍ଣାମେଣ୍ଟ୍ରେ ଆଧିପତ୍ୟ ବଜାୟ ରଖିଆସିଥିବା ନିଶାନ୍ତ କ୍ୱାର୍ଟର୍ ଫାଇନାଲ୍ରେ ଆକ୍ରମଣାତ୍ମକ ଆରମ୍ଭ କରି ପ୍ରଥମରୁ ହିଁ ପ୍ରତିଦ୍ୱନ୍ଦ୍ୱୀଙ୍କ ପଞ୍ଚ୍ ବର୍ଷା କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେବୋଟାରୀ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ବକ୍ସର୍ ସଠିକ୍ ପଞ୍ଚ୍ ଜାରି ରଖିଥିଲେ । ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ଉଭୟ ବକ୍ସର୍ ଥକି ଯାଇଥିବା ପରି ଲାଗୁଥିଲେ ମଧ୍ୟ ନିଶାନ୍ତ ଆକ୍ରମଣ ଜାରିରଖିଥିଲେ । ତେବେ ତଳେ ପଡ଼ିଯିବା ଯୋଗୁଁ ନିଶାନ୍ତଙ୍କୁ ଗୋଟିଏ ପଏଣ୍ଟ୍ ହରାଇବାକୁ ପଡ଼ିଥିଲା ।
ଅନ୍ୟପକ୍ଷରେ ମହିଳା ୬୦ କେଜି ବର୍ଗରେ ଏଗ୍ନେସ୍ ଆଲେକ୍ସିୟସନ୍ଙ୍କଠାରୁ ୨-୩ରେ ହାରିଯିବା ଫଳରେ ଅଙ୍କୁଶିତା ବୋରୋଙ୍କ ଅଲିମ୍ପିକ୍ କୋଟା ହାସଲ ଆଶା ଶେଷ ହୋଇଛି । ୨୩ ବର୍ଷୀୟା ଭାରତୀୟ ବକ୍ସର୍ ସ୍ୱିଡିଶ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ମୁକାବିଲା କରିଥିଲେ । ମାତ୍ର ୟୁରୋପିଆନ୍ ଗେମ୍ସ ପଦକ ବିଜେତା ନିଜ ଅନୁଭୂତି ଦମ୍ରେ ଅଙ୍କୁଶିତାଙ୍କୁ ବାହାର ରାସ୍ତା ଦେଖାଇଥିଲେ ।