ମୁମ୍ବାଇ: ଆଇପିଏଲ୍ ୨୦୨୪ ସିଜନ୍ ସଫଳତାର ସହ ଶେଷ ହୋଇଛି । ଇତିମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ସିଜନ୍ର ୧୦ ଭେନ୍ୟୁରେ କାମ କରିଥିବା ଗ୍ରାଉଣ୍ଡ୍ସମ୍ୟାଚ୍ ଏବଂ ପିଚ୍ କ୍ୟୁରେଟର୍ଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛି । ସେହିପରି ତିନିଟି ଅତିରିକ୍ତ ଭେନ୍ୟୁ ଧର୍ମଶାଳା, ବିଶାଖାପାଟଣା ଏବଂ ଗୁଆହାଟୀ ପାଇଁ ୧୦ ଲକ୍ଷ ଟଙ୍କା ଲେଖାର ପୁରସ୍କାର ପ୍ରଦାନ କରାଯିବ । ବିସିସିଆଇ ସମ୍ପାଦକ ଜୟ ଶାହ ସୋମବାର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟ୍ରେ ଶାହ ଲେଖିଛନ୍ତି ‘ଆମର ସଫଳ ଟି-୨୦ ସିଜନ୍ର ପ୍ରଚ୍ଛଦପଟ୍ଟର ନାୟକ ହେଉଛନ୍ତି ଗ୍ରାଉଣ୍ଡ୍ଷ୍ଟାଫ୍, ଯେଉଁମାନେ ଖରାପ ପାଗରେ ମଧ୍ୟ ଚମତ୍କାର ପିଚ୍ ପ୍ରସ୍ତୁତ କରିଛନ୍ତି । ଆମେ ତାଙ୍କ ପରିଶ୍ରମକୁ ପୁରସ୍କୃତ କରିବାକୁ ଚାହୁଁଛୁ । ୧୦ ନିୟମିତ ଆଇପିଏଲ୍ ଭେନ୍ୟୁର ଗ୍ରାଉଣ୍ଡ୍ସମ୍ୟାଚ୍ ଏବଂ ପିଚ୍ କ୍ୟୁରେଟରଙ୍କୁ ୨୫-୨୫ ଲକ୍ଷ ଟଙ୍କା ଏବଂ ତିନି ଅତିରିକ୍ତ ଭେନ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ମିଳିବ । ଆପଣମାନଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ।’ ଆଇପିଏଲ୍ ୨୦୨୪ ସିଜନ୍ର ମ୍ୟାଚ୍ଗୁଡ଼ିକ ଖେଳାଯାଇଥିବା ୧୦ଟି ନିୟମିତ ଭେନ୍ୟୁ ମଧ୍ୟରେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, କୋଲ୍କାତା, ଲକ୍ଷ୍ନୌ, ଅହମ୍ମଦାବାଦ ଏବଂ ମୁମ୍ବାଇ ସାମିଲ । ଏହା ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ ଏବଂ ରାଜସ୍ଥାନ ରୟାଲ୍ସ ନିଜ ନିଜର କେତେକ ମ୍ୟାଚ୍ ଅନ୍ୟ ଘରୋଇ ଗ୍ରାଉଣ୍ଡ୍ରେ ମଧ୍ୟ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ ବ୍ୟତୀତ ବିଶାଖାପାଟଣା, ପଞ୍ଜାବ କିଙ୍ଗ୍ସ ମୁଲ୍ଲାନ୍ପୁର ବ୍ୟତୀତ ଧର୍ମଶାଳା ଏବଂ ରାଜସ୍ଥାନ ରୟାଲ୍ସ ଜୟପୁର ବ୍ୟତୀତ ଗୁଆହାଟୀକୁ ନିଜର ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ୍ ଚୟନ କରିଥିଲେ ।