କଟକ: ଓଡ଼ିଶା ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି । ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ହାଇକୋର୍ଟ ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତି ଦିଆଯାଇଛି । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପାଟନା ହାଇକୋର୍ଟରରେ ବିଚାରପତି ଅଛନ୍ତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ । ୨୦୨୩, ନଭେମ୍ବର ୨ରେ ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲା।
ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଂଜୟ କିଶନ କଉଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମର ବୈଠକରେ ଆଲୋଚନା କରାଯାଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ ସିଂଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜଷ୍ଟିସ ସିଂହ ୧୯୬୩, ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ ଲ ସେଣ୍ଟର)ରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୦, ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା।