ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରେ ମତ୍ସ୍ୟଜୀବୀଙ୍କ ପାଇଁ ଆୟୋଜନ କରାଯାଇଥିବା ‘ସାଗର ପରିକ୍ରମା’ର ଏକାଦଶ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜାନୁଆରି ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସାଗର ପ୍ରରିକ୍ରମା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ କେନ୍ଦ୍ର ମତ୍ସ୍ୟସଂପଦ ମନ୍ତ୍ରୀ(ରାଷ୍ଟ୍ରମନ୍ତ୍ରୀ) ପୁରୁଷୋତ୍ତମ ରୁପାଲା ଆସିଥିବା ବେଳେ ତାଙ୍କ ଡଙ୍ଗା ଆଜି ମଝି ଚିଲିକାରେ କିଛି ସମୟ ପାଇଁ ନିଖୋଜ ହୋଇଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଅନ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅନ୍ଧାର ରାତି ଏବଂ ମାଛଧରା ଜାଲରେ ଛନ୍ଦି ହୋଇ ଦୀର୍ଘ ସମୟ ଧରି ମଝି ଚିଲିକାରେ ଅଟକି ରହିଥିଲା ମନ୍ତ୍ରୀଙ୍କର ବୋଟ୍ । କିଛି ସମୟ ଅଟକିବା ପରେ ସିଡିଏ ଓ ଓଟିଡିସିର ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ସାତପଡ଼ା କୂଳକୁ ଆଣିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଫେରି ଯାଇଥିଲେ ।