ଭୁବନେଶ୍ୱର : ଯେପରି ଜଳ ବିନା ଜୀବନର କଳ୍ପନା ଅସମ୍ଭବ, ସେହିଭଳି ମାଟି ବା ମୃତ୍ତିକା ବିନା ମଧ୍ୟ ଜୀବନର କଳ୍ପନା କରାଯାଇ ନପାରେ। ମାଟି ବିନା ପୃଥିବୀର କୌଣସି ଅସ୍ତିତ୍ୱ ନାହିଁ, ଆଉ ପୃଥିବୀ ବିନା ମାନବ ସମାଜ ଅସମ୍ଭବ। ଏଥିପାଇଁ ମୃତ୍ତିକାର ମହତ୍ତ୍ୱ ଏବଂ ଏହାର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୫କୁ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି।
ମୃତ୍ତିକା ଦିବସର ଉଦ୍ଦେଶ୍ୟ
ଭାରତ ଭଳି କୃଷି ପ୍ରଧାନ ଦେଶ ପାଇଁ ମୃତ୍ତିକାର ସୁରକ୍ଷା ଏକାନ୍ତ ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସମୟରେ ଆଧୁନିକ ଶୈଳୀରେ କୃଷି କାର୍ଯ୍ୟ, ଅତ୍ୟଧିକ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ମାଟିର ଗୁଣକୁ ହ୍ରାସ କରିଦେଉଛି। ଯାହା ଫଳରେ ଖାଦ୍ୟ ନିରାପତ୍ତା, ଉଦ୍ଭିଦର ବୃଦ୍ଧି, ପ୍ରାଣୀଙ୍କ ଜୀବନ ଏବଂ ବାସସ୍ଥାନ ତଥା ମାନବଜାତି ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମୃତ୍ତିକା ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଲୋକଙ୍କୁ ସଚେତନ କରିବା ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯାହା ଫଳରେ ମୃତ୍ତିକା ଦିବସ ପାଳନ ନିହାତି ଭାବେ ଗୁରୁତ୍ୱ ବହନ କରୁଛି।
ମୃତ୍ତିକା ଦିବସ ଇତିହାସ
ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମୃତ୍ତିକା କ୍ଷୟକୁ ହ୍ରାସ କରିବା, ଉର୍ବର ମୃତ୍ତିକା ତଥା ଉତ୍ସକୁ ସ୍ଥାୟୀ ପରିଚାଳନା ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ବିଶ୍ୱ ମୃତ୍ତିକା ଦିବସ ପାଳନ ଆରମ୍ଭ କରିଥିଲା। ପ୍ରାୟ ୪୫ ବର୍ଷ ପୂର୍ବେ ଭାରତରେ ‘ସେଭ୍ ସୋଏଲ୍ ମୁଭମେଣ୍ଟ’(ମୃତ୍ତିକା ବଞ୍ଚାଅ ଆନ୍ଦୋଳନ) ଆରମ୍ଭ ହୋଇଥିଲା।
କାହିଁକି ଡିସେମ୍ବର 5ରେ ପାଳନ ହୁଏ?
ଥାଇଲ୍ୟାଣ୍ଡର ପୂର୍ବ ମହାରାଜା ଏଚଏମ ଭୂମିବଳ ଅତୁଲ୍ୟତେଜ ତାଙ୍କ କାର୍ଯ୍ୟାଳୟ ସମୟରେ ଉର୍ବର ମୃତ୍ତିକାର ସଂରକ୍ଷଣ ପାଇଁ ଅନେକଗୁଡିଏ କାର୍ଯ୍ୟ ହାତକୁ ନେଇଥିଲେ। ସେ ମୃତ୍ତିକା ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ। ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଏ।
ମାଟିର ଅବଦାନ
ଜୀବନ ପାଇଁ ମାଟିର ଅବଦାନ ବହୁ ଗୁରୁତ୍ୱପୂର୍ଣ୍ଣ। ଏଥପାଇଁ ମାଟିକୁ ମା’ ସହ ତୁଳନା କରାଯାଏ। ଏହା ଖାଦ୍ୟ, ପୋଷାକ, ବାସସ୍ଥାନ, ଔଷଧ ଆଦି ଜରୁରୀ ଆବଶ୍ୟକତା ପୂରଣ କରିଥାଏ। ଏହି କାରଣରୁ ମୃତ୍ତିକା ସଂରକ୍ଷଣ ପ୍ରତି ସଚେତନ ହେବା ନିହାତି ଜରୁରୀ। ସଚେତନ ରହିଲେ ଆମେ ଆମ ପ୍ରାକୃତିକ ସମ୍ପଦର ରକ୍ଷା କରିପାରିବା।