ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୪୮.୬୭ ଲକ୍ଷ କେନ୍ଦ୍ର କର୍ମଚାରୀ ତଥା ୬୭.୯୫ ଲକ୍ଷ ପେନ୍ସନ୍ଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ୍ ଗଠନର କେନ୍ଦ୍ର ସରକାରଙ୍କ ଯୋଜନା ନାହିଁ ବୋଲି ଅର୍ଥ ସଚିବ ଟିଭି ସୋମନାଥ କହିଛନ୍ତି । ଅତୀତରେ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଗୁଡ଼ିକ ନିଜ କର୍ମଚାରୀ, ସଶସ୍ତ୍ର ବଳ କର୍ମଚାରୀ ଏବଂ ପାରିବାରିକ ପେନ୍ସନ୍ଭୋଗୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ବେତନ କମିଶନ୍ ଗଠନ କିମ୍ବା କମିଶନ୍ର ସୁପାରିସ ଲାଗୁ କରିବାକୁ ଶକ୍ତିଶାଳୀ ଅସ୍ତ୍ର ଭାବେ ବ୍ୟବହାର କରିଆସିଛନ୍ତି ।
୨୦୧୩ ସେପ୍ଟେମ୍ବରରେ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ତଥା ୨୦୧୪ ସାଧାରଣ ନିର୍ବାଚନର କିଛିମାସ ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ୍ (ଉପା) ସରକାର ସପ୍ତମ ବେତନ କମିଶନ୍ ଗଠନ କରିଥିଲେ । କୁହାଯାଉଛି ସରକାର କେତେକ ପରିବର୍ତ୍ତନ କରି ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କ ଅନ୍ତିମ ବେତନର ଅତିକମ୍ରେ ୪୦ରୁ ୪୫ ପ୍ରତିଶତ ପେନସନ୍ ଭାବେ ମିଳୁ ଏହା ସୁନିଶ୍ଚିତ କରିବା ନିମନ୍ତେ ଉଦ୍ୟମ କରିପାରନ୍ତି । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଷ୍ଟମ ବେତନ କମିଶନ୍ର ଘୋଷଣା ତଥା ଅଧିସୂଚନା ଜାରୀ ପାଇଁ ଅର୍ଥ ମନ୍ତ୍ରଣାଳୟ ଉପରେ ରାଜନୈତିକ ଚାପ ବୃଦ୍ଧି ପାଉଛି ।