ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (ୟୁସିସି) ଦାବିରେ ହୋଇଥିବା ଆବେଦନର ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, ସୁପ୍ରିମ୍କୋର୍ଟ ପୂର୍ବରୁ ଏହି ପ୍ରସଙ୍ଗରେ ଶୁଣାଣି କରିସାରିବା ସହିତ ଆବେଦନକୁ ଖାରଜ କରିଛନ୍ତି । ହାଇକୋର୍ଟ କହିଛନ୍ତି, ବିଲ୍କୁ ଆଇନରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । କାର୍ଯ୍ୟବାହକ ମୁଖ୍ୟ ବିଚାରପତି ମନମୋହନ ଏବଂ ବିଚାରପତି ମିନି ପୁଷ୍ପରଣାଙ୍କ ବେଞ୍ଚ୍ କହିଛନ୍ତି, ଆମେ ସୁପ୍ରିମ୍କୋର୍ଟଙ୍କ ଆଦେଶ ପରିସର ବାହାରକୁ ଯାଇପାରିବୁ ନାହିଁ ।
କୋର୍ଟ କହିଛନ୍ତି, ଏହି ମାମଲା ପୂର୍ବରୁ ଆଇନ କମିଶନ ନିକଟରେ ରହିଛି ଏବଂ ଯଦି ଆବେଦନକାରୀ ଚାହାନ୍ତି ତେବେ ନିଜ ପ୍ରସ୍ତାବ ସହିତ କମିଶନ୍ଙ୍କୁ ସମ୍ପର୍କ କରିପାରନ୍ତି । ଏହାପରେ ଆବେଦନକାରୀମାନେ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହୃତ ପାଇଁ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ୍କୋର୍ଟ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ସମେତ ଚାରିଟି ଆବେଦନ ହାଇକୋର୍ଟରେ ଉପସ୍ଥାପିତ କରାଯାଇଥିଲା । ଭାରତରେ ତତ୍କାଳ ସମାନ ନାଗରିକ ସଂହିତାର ଆବଶ୍ୟକତା ରହିଛି ବୋଲି ଆବେଦନରେ କୁହାଯାଇଥିଲା ।