ଭୁୁବନେଶ୍ୱର: ଭୁବନେଶ୍ବର: ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କଠାରୁ ୮ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତ ୧୨ ବର୍ଷ ପରେ ଗିରଫ ହୋଇଛି। ଏୟାର୍ପୋର୍ଟ ଥାନା ପୁଲିସ ବାନ୍ଧିଥିବା ଏହି ଠକ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ ଆନନ୍ଦପୁର ଖ୍ରୀଷ୍ଟିଆନ୍ସାହିର ଆଲର୍ବଟ ଦାସ(୫୧)। ଦୀର୍ଘ ବର୍ଷ କାଳ ସେ ଇନ୍ଫୋସିଟି ଥାନା ଅଧୀନ ପଟିଆ ମହାବିନାୟକପୁରମ୍ ଅଞ୍ଚଳରେ ରହୁଥିଲା। ପୁଲିସ ସୂଚନାନୁଯାୟୀ ବାଲିଅନ୍ତା ଆନନ୍ଦପୁର ଖ୍ରୀଷ୍ଟିଆନ୍ସାହିର କ୍ଲାରା ୱିଲସନ୍ଙ୍କ ବାପା ଏୟାର୍ପୋର୍ଟରେ ଚାକିରି କରିଥିଲେ ଏବଂ ଭୀମପୁରରେ ରହୁଥିଲେ। ସେତେବେଳେ ଅଭିଯୁକ୍ତ ଆଲବର୍ଟ କ୍ଲାରାଙ୍କ ପରିବାରର ପଡ଼ୋଶୀ ଥିଲେ। ସେମାନଙ୍କ ଭିତରେ ଭଲ ସମ୍ପର୍କ ଥିଲା। ୨୦୦୨ ମସିହାରେ କ୍ଲାରାଙ୍କ ବାପାଙ୍କର ମୃତ୍ୟୁ ହୋଇଯିବାରୁ କ୍ଲାରାଙ୍କ ମା’ଙ୍କୁ କିଛି ଟଙ୍କା ମିଳିଥିଲା। ୨୦୧୧ ମସିହାରେ କ୍ଲାରା ଯୁକ୍ତ ୩ ପାସ୍ କରିବା ପରେ ଚାକିରି ଅନ୍ୱେଷଣରେ ଲାଗିଥିଲେ। ସେତେବେଳେ ଆଲବର୍ଟ ତାଙ୍କୁ ଚାକିରି କରାଇଦେବା ଲାଗି ପ୍ରଲୋଭିତ କରି କ୍ଲାରାଙ୍କ ମା’ଙ୍କଠାରୁ ୮ଲକ୍ଷ ଟଙ୍କା ନେଇଥିଲା। ପଡ଼ୋଶୀ ହୋଇଥିବାରୁ ବିଶ୍ବାସ କରି କ୍ଲାରାଙ୍କ ମା’ ଆଲବର୍ଟକୁ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଆଲବର୍ଟ ଭୀମପୁର ଛାଡ଼ି ଅନ୍ତର୍ଧାନ ହୋଇଯାଇଥିଲା। କ୍ଲାରା ଓ ତାଙ୍କ ମା’ ବହୁ ଖୋଜାଖୋଜି କରିବା ପରେ ବି ଧୂର୍ତ୍ତ ଆଲବର୍ଟର ପତ୍ତା ପାଇନଥିଲେ। କିଛି ଦିନ ପୂର୍ବେ ସେମାନେ ପଟିଆରେ ଆଲବର୍ଟ ରହୁଥିବା ଜାଣିବାକୁ ପାଇ ଏୟାର୍ପୋର୍ଟ ଥାନାରେ ଅଭିଯୋଗ କରିଥିଲେ।