ଷ୍ଟକ୍ହୋମ୍ : ଆମେରିକାର ତିନିଜଣ ବୈଜ୍ଞାନିକ ମାଉଙ୍ଗି ବାୱେଣ୍ଡି, ଲୁଇ ବ୍ରୁସ୍ ଏବଂ ଆଲେକ୍ସି ଏକିମୋଭ୍ଙ୍କୁ ଚଳିତବର୍ଷ ରସାୟନ ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । କ୍ୱାଣ୍ଟମ ଡଟ୍ସ ଭଳି ଅତି କ୍ଷୁଦ୍ର ପାର୍ଟିକଲ୍ସରେ ରିସର୍ଚ୍ଚ କରିଥିବାରୁ ଏମାନଙ୍କୁ ଏଭଳି ସମ୍ମାନ ମିଳିଛି । ଏଭଳି ପାର୍ଟିକଲ୍ସ ଯୋଗୁଁ ଟିଭି ଓ ଏଲଇଡି ଲ୍ୟାମ୍ପ୍ରୁ ଆଲୋକ ନିର୍ଗତ ହେଉଥିବାବେଳେ ଟ୍ୟୁମର ଟିସ୍ୟୁ ବାହାର କରିବାରେ ଏହା ଡାକ୍ତରଙ୍କୁ ସହାୟକ ହୋଇଥାଏ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ନୋବେଲ କମିଟି ପକ୍ଷରୁ ବିଜେତାଙ୍କ ନାମ ଚୂଡାନ୍ତ ହେବା ପୂର୍ବରୁ ସ୍ୱିଡେନ ଗଣମାଧ୍ୟମରେ ଏହା ପ୍ରକାଶିତ ହୋଇଥିବା ଜଣାପଡିଛି । ଫ୍ରାନ୍ସରେ ଜନ୍ମିତ ୬୨ ବର୍ଷୀୟ ବାୱେଣ୍ଡି ବର୍ତ୍ତମାନ ଆମେରିକାର ମାସାଚ୍ୟୁସେଟ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ପ୍ରଫେସରଭାବେ କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ୮୦ ବର୍ଷୀୟ ଲୁଇ ବ୍ରୁସ୍ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏବଂ ରୁଷ୍ରେ ଜନ୍ମିତ ଆଲେକ୍ସି ଏକିମୋଭ୍ ଆମେରିକାସ୍ଥିତ ନାନୋକ୍ରିଷ୍ଟାଲ୍ସ ଟେକ୍ନୋଲୋଜିରେ କାର୍ଯ୍ୟରତ ଅଛନ୍ତି ।