ରାଞ୍ଚି: ପତ୍ନୀ, ପାଠପଢା ଓ ପ୍ରେମ । ପାଠ ପଢାଇଥିବା ସ୍ୱାମୀକୁ ଛାଡ଼ି ପ୍ରେମିକ ସାଙ୍ଗରେ ପତ୍ନୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଉତ୍ତରପ୍ରଦେଶ ଜ୍ୟୋତି ମୌର୍ଯ୍ୟ ଘଟଣାକୁ ମନେ ପକାଇଛନ୍ତି ଲୋକେ । ଫରକ କେବଳ ଏତିକି ଏଠାରେ ଫେରାର ଥିବା ମହିଳା ଜଣକ ଚାକିରି କରିନାହାନ୍ତି । ପତ୍ନୀ ପ୍ରେମିକ ସାଙ୍ଗରେ ଫେରାର ହୋଇଯିବା ପରେ ଏବେ ଥାନାର ଦ୍ୱାରସ୍ଥ ସ୍ୱାମୀ । ଏଭଳି ଏକ ଘଟଣା ଝାଡ଼ଖଣ୍ଡ ଗୌଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଘଟଣା ଗତ ସେପ୍ଟେମ୍ବର ୧୯ ତାରିଖର ବୋଲି ଜଣାପଡ଼ିଛି । ସ୍ୱାମୀର ଅଭିଯୋଗ ଅନୁସାରେ ମହିଳା ଜଣକ ନିଜ ବାପ ଘରକୁ ଯିବା ଲାଗି କହିଥିଲେ । ଏହାପରେ ଯେତେବେଳେ ବାପ ଘରେ ପହଞ୍ଚିନଥିଲେ ସେତେବେଳେ ପରିବାର ପକ୍ଷରୁ ଗୌଡା ନିଗର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ଜଣାପଡ଼ିଲା ଯେ ମହିଳା ଜଣକ ସେହି ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଛନ୍ତି । ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ସେ ପ୍ରେମିକ ସହିତ ଦିଲ୍ଲୀ ପଳାଇଛନ୍ତି ।
ଏବେ ଫେରାର ମହିଳା ପ୍ରେମିକ ସହିତ ବିବାହ କରିବା ପରେ ଏହାର ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଥମ ସ୍ୱାମୀଙ୍କୁ ପଠାଇଛନ୍ତି । ସ୍ୱାମୀଙ୍କ ଅଭିଯୋଗ ସେ ମୁଲିଆ କାମ କରି ନିଜ ପତ୍ନୀକୁ ପାଠ ପଢାଉଥିଲେ । ମହିଳା ଜଣକ ନର୍ସଂ କଲେଜରେ ଆଡମିଶନ ନେଇ ପାଠ ପଢୁଥିଲେ । ଗତ ୨୦୨୦ ମସିହା ନଭେମ୍ବରରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପରେ ପତ୍ନୀକୁ ପାଠ ପଢାଇଥିଲେ ସ୍ୱାମୀ । ଗୌଡା ଶକୁନ୍ତଳା ନର୍ସିଂ କଲେଜରେ ସେ ପାଠ ପଢୁଥିଲେ । ସ୍ୱାମୀ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଋଣ କରି ପତ୍ନୀକୁ ପାଠ ପଢାଉଥିଲେ । ଏପରିକି ଫେରାର ମହିଳା ଜଣକ ସେଠାରେ ହଷ୍ଟେଲରେ ରହୁଥିଲେ । ଆଉ କିଛି ଦିନ ଫରେ ଶେଷ ପରୀକ୍ଷା ଥିବା ବେଳେ ଏହା ପୂର୍ବରୁ ସ୍ୱାମୀକୁ ଛାଡ଼ି ମହିଳା ଜଣକ ପ୍ରେମିକ ସହ ଫେରାର ହୋଇୟାଇଛନ୍ତି । ଅନ୍ୟପଟେ ପ୍ରେମିକ ବେରୋଜଗାର ଥିବା ସୂଚନା ମିଳିଛି । ଅଭିଯୋଗ ହେବା ପରେ ପୋଲିସ ମହିଳାଙ୍କୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି ।