ଭୁବନେଶ୍ଵର: ଓଡି଼ଶା ସମଗ୍ର ବିଶ୍ବରେ ତାହାର ସଂସ୍କୃତି ପରମ୍ପରାକୁ ନେଇ ପରିଚିତ। ପ୍ରତ୍ୟେକ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା ଚାଲି ରହିଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧାନା କରନ୍ତି । ଏହି ଓଷା ବ୍ରତରେ ନା କି କେବଳ ପୂଜା ଆରାଧନା କରାଯାଏ ଏହା ମଧ୍ୟ ସାମାଜିକ ସ୍ତରରେ ଏକ ଗୁରୁତ୍ବ ବହନ କରେ । ପରଷ୍ପର ମଧ୍ୟରେ ମୈତ୍ରୀ,ବନ୍ଧୁତ୍ବ ଓ ସଦଭାବ ସହ ପ୍ରତିଟି କୁମାରୀମାନଙ୍କ ଠାରେ ସୃଷ୍ଟି କରେ ନୂତନ ଆଶା ଓ ବିଶ୍ବାସ। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ।
ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା ମଙ୍ଗଳାକୁ ସ୍ମରଣ କରିଥାନ୍ତି । ମାଆ ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତ୍ୟୁଷରୁ କୁମାରୀ ଝିଅମାନେ ସଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି।
ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ ।ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରାଯାଏ । ମାଆ ମଙ୍ଗଳାଙ୍କର ବିଗ୍ରହ ସ୍ଥାପନ କରି ବିଭିନ୍ନ ପୁଷ୍ପ ଓ ନାନାଦି ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ । ସଂଧ୍ୟା ସମୟରେ କୁମାରୀମାନେ ଦୁହୁଡି(ଦିହୁଡି) ଜାଳି ଝୁଣା ମାରି ଆନନ୍ଦର ସହ ନିଜର ଭାଇର ସୁରକ୍ଷା ପାଇଁ କୁମାରୀମାନେ ପୂଜା କରନ୍ତି ।
ଖୁଦୁରୁକୁଣୀ ପୂଜାରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ । ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି ।