ମୋହାଲି : ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଦେଇଛି ଭାରତ । ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଭାରତ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୭୬ରନ କରିଥିଲା । ଫଳରେ ବିଜୟ ପାଇଁ ଭାରତ ଆଗରେ ୨୭୭ର ଲକ୍ଷ୍ୟ ରହିଥିଲା ।
ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୨ରନ , ଜୋସ ଇଂଗଲିସ ୪୫ରନ, ଷ୍ଟିଭ ସ୍ମିଥ୍ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ୫ ୱିକେଟ ନେଇଥିଲେ । ୨୭୭ରନର ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଋତୁରାଜ ଗାଇକ୍ୱାଡ୍ ଓ ଶୁଭମନ ଗିଲ ପ୍ରଥମ ୱିକେଟ ଯୋଡ଼ିରେ ୧୪୨ରନ କରି ବିଜୟ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । ଗାଇକ୍ୱାଡ ୭୧ ଓ ଗିଲ ୭୪ରନ କରି ଆଉଟ ହୋଇଥିଲେ । ସେହିପରି କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟକୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣିଦେଇଥିଲେ ।