ନୂଆଦିଲ୍ଲୀ: ଦୁଇ ଜଣ ବିବାହିତ/ବିବାହିତାଙ୍କ ମଧ୍ୟରେ ଲିଭ ଇନ୍ ସମ୍ପର୍କକୁ ସାଧାରଣତଃ ସମାଜରେ ସ୍ୱୀକାର କରାଯାଏ ନାହିଁ । ଏହି ସମ୍ପର୍କକୁ ମୁଖ୍ୟତଃ ଘୃଣ୍ୟ ନଜରରେ ଦେଖାଯାଇଥାଏ । କିନ୍ତୁ ଏହି ସମ୍ପର୍କ ଏକ ଅପରାଧ ନୁହେଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଦାଲତ କହିଛନ୍ତି ଯେ, ଲିଭ-ଇନରେ ରହୁଥିବା ବିବାହିତ ମହିଳା ପରେ ବିବାହର ମିଛ ପ୍ରତିଶ୍ରୁତିରେ ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ । ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ବେଞ୍ଚ ମାମଲାର ଶୁଣାଣି କରୁଥିଲେ । ଏଭଳି ଏକ ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ବିଚାରପତି କହିଛନ୍ତି ଯେ, ସାମାଜିକ ଦୃଷ୍ଟିକେଣରେ ନୈତିକ ଅପରାଧ ଏବଂ ଆଇନଗତ ଅପରାଧ ଉଭୟ ଭିନ୍ନ ମାମଲା ହୋଇଥାଏ ।
ଦୁଇ ଜଣ ବିବାହିତ/ବିବାହିତାଙ୍କ ମଧ୍ୟରେ ଲିଭ ଇନ୍ ସମ୍ପର୍କକୁ ନେଇ ସମାଜରେ ଆଲୋଚନା ହୋଇପାରେ, କିନ୍ତୁ ଏହା ଆଇନ୍ ଅନୁସାରେ ଅପରାଧ ନୁହେଁ । ଏଭଳି କାର୍ଯ୍ୟକୁ ଆଇନଗତ ଅପରାଧ ସହ ଯୋଡ଼ିବା ଅନୁଚିତ ହେବ । ନୈତିକତାକୁ ନେଇ ଭିନ୍ନ ଭିନ୍ନ ଧାରଣା ଥାଇପାରେ , କିନ୍ତୁ ଏହାକୁ କୌଣସି ପକ୍ଷ ଉପରେ ଲଦି ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଏହାର ନିଷ୍ପତ୍ତି ନେଇ ନ୍ୟାୟାଳୟ କହିଛନ୍ତି ଯେ, କୌଣସି ବିହିତା ମହିଳା ଆଇନ ଅନୁସାରେ ଅନ୍ୟ ଜଣକ ସହ ବିବାହ କରିପାରିବେ ନାହିଁ । ତେବେ ଯଦି ସେ ଲିଭ-ଇନରେ ରହୁଛନ୍ତି, ତେବେ ବିବାହର ମିଛ ପ୍ରତିଶ୍ରୁତିରେ ଦୁଷ୍କର୍ମର ଅଭିଯୋଗ ମଧ୍ୟ କରିପାରିବେ ନାହିଁ । ପୀଡ଼ିତାଙ୍କୁ ଆଇପିସି ଧାରା ୩୭୬ ଅନୁସାରେ କୌଣସି ସୁରକ୍ଷା ଦିଆଯିବ ନାହିଁ । ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବ୍ୟକ୍ତିଗତ ବୟସ୍କମାନେ ନିଷ୍ପତ୍ତି ନେବାକୁ ମୁକ୍ତ, ଯଦିଓ ଏପରି ନିଷ୍ପତ୍ତି ସାମାଜିକ ଆଦର୍ଶ କିମ୍ବା ଆଶା ସହିତ ମେଳ ଖାଉ ନାହିଁ । ତଥାପି ସେମାନଙ୍କୁ ଏପରି ସମ୍ପର୍କର ସମ୍ଭାବ୍ୟ ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।