ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି । ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଫଳରେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ଶୁକ୍ରବାର ଅପରାହ୍ନ ମଧ୍ୟରେ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଓ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ୯ ଜିଲ୍ଲା ଯଥା ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କଟକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ନୟାଗଡ଼, ଯାଜପୁର ଓ ରାୟଗଡ଼ା ଆଦି ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ଉଭୟ କଟକ ଏବଂ ଭୁବନେଶ୍ୱରରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗୁରୁବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟର ବଲାଙ୍ଗିରରେ ସର୍ବାଧିକ ୧୦୮ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୨୬.୬ମିମି, ନୂଆପଡା ୨୧.୭ମିମି, ଟିଟିଲାଗଡ ୨୫.୪ମିମି, କଟକ ୨ମିମି ଏବଂ ରାଜଧାନୀରେ ୨.୪ମିମି ବର୍ଷା ରେକର୍ଡ କରାଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ସହ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪ ପ୍ରତିଶତ ଅଧିକ ରହିଛି । ରାୟଗଡା ଜିଲ୍ଲାରେ ହାରାହାରି ୭୨.୧ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬% ଅଧିକ ରହିଛି । ସେହିପରି ବଲାଙ୍ଗୀରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡି ଏମ.ରାମପୁରରେ ୧୯୩ ମିମି ବର୍ଷା ହୋଇଥିବା ବେଳେ ଥୁଆମୁଳ ରାମପୁର, କଣ୍ଟାମାଳ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ୧୦୭ ମିମି, ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୧୫୮ମିମି, କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାରରେ ୧୦୫ମିମି, ଜଗତସିଂହପୁରରେ ମିମି, ଯାଜପୁର ଜିଲ୍ଲା ଦାନଗଦିରେ ୧୨୩.୦ ମିମି, କୋରେଇରେ ୧୦୬ମିମି, କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁରରେ ୧୯୩.୦ ମିମି, ଥୂଆମୁଳ-ରାମପୁରରେ ୧୫୮.୦ ମିମି, ଲାଞ୍ଜିଗଡ଼ରେ ୧୨୧.୪ ମିମି, କନ୍ଧମାଳ ଜିଲ୍ଲା କୋଟଗଡ଼ରେ ମିମି, ଫିରିଙ୍ଗିଆରେ ୧୧୬.୪ ମିମି, କେନ୍ଦ୍ରାପଡ଼ାରେ ୧୪୫ମିମି ବର୍ଷା ରେକର୍ଡ ହୋଇଛି ।
ଗୁରୁବାର ହୀରାକୁଦ ଜଳଭଣ୍ଡାରର ପୁଣି ୪ଟି ଗେଟ୍ ଖୋଲିବା ପରେ ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱର ୯ଟି ଓ ଡାହାଣ ପାର୍ଶ୍ୱର ୫ଟି ଗେଟ୍ ଖୋଲା ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁ ଡ୍ୟାମ ଭିତରକୁ ଜଳ ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮.୬୯ଫୁଟ ରହିଥିବାବେଳେ ପ୍ରତି ସେକେଣ୍ଡରେ ହୀରାକୁଦକୁ ୧ଲକ୍ଷ ୪୯ ହଜାର ୧୬୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ସେକେଣ୍ଡକୁ ୨ ଲକ୍ଷ ୭ ହଜାର ୭୬୯ ଘନ ଫୁଟ ବନ୍ୟା ଜଳ ନିଷ୍କାସିତ ହେଉଛି । ମୋଟ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ ବୋଲି ଜଣାପଡିଛି ।