ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ଦେଶର ଜୀବନ ରେଖା ତେଣୁ ଦେଶର ବିକାଶ ଯାତ୍ରାରେ ରେଳବାଇର ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ପୂର୍ବାହ୍ନରେ ଆଭାସୀ ଜରିଆରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସମେତ ଦେଶର ୫୦୮ଟି ଷ୍ଟେସନ୍ର ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା ସହ ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବ।
ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି ଯାହା ମାଧ୍ୟମରେ ୧ ହଜାର ୩୦୯ଟି ଷ୍ଟେସନର ନବୀକରଣ ଓ ଆଧୁନିକୀକରଣ ପାଇଁ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ରେଳଷ୍ଟେସନଗୁଡିକରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ଓ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିବା।