ଅନୁଗୁଳ: ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରକାଶ ଯେ ଦେବଗଡ଼ ଜିଲ୍ଲାର ଜଣେ ନାବାଳିକା ୨୦୧୬ ମସିହାରେ ପାଲଲହଡ଼ାର ଏକ ମହାବିଦ୍ୟାଳୟରେ ଯୁକ୍ତ ୨ର ୨ୟ ବର୍ଷର ଛାତ୍ରୀ ଭାବେ ମାମୁଘରେ ରହି ପାଠ ପଢ଼ୁଥିଲେ । ୨୦୧୬ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ମହାବିଦ୍ୟାଳୟରୁ ଛାତ୍ରୀ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ପରିବାର ଲୋକେ ଘରକୁ ଝିଅ ନ ଫେରିବାରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭକରି ନାବାଳିକାକୁ ଖୋଜି ଉଦ୍ଧାର କରିଥିଲା । ନାବାଳିକା ପୁଲିସ ଆଗରେ ପ୍ରକାଶ କରିଥିଲେ ଯେ ଅପହର୍ତ୍ତା ଧୀର ଓରଫ ପ୍ରଫୁଲ୍ଲ ନାଏକ(୨୬) ତାଙ୍କୁ ଅପହରଣକରି ବାରମ୍ବାର ଦୁଷ୍କର୍ମ କରିଥିଲେ । ପୁଲିସ ପ୍ରଫୁଲ୍ଲଙ୍କୁ ଗିରଫ କରି ଦଫା ୩୬୩, ୩୬୬, ୩୭୬(୨)(ଏନ୍)ରେ କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାରକରି ସାକ୍ଷୀଙ୍କ ବୟାନ ଓ ଦଲିଲକୁ ଆଧାରକରି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ଧୀର ଓରଫ୍ ପ୍ରଫୁଲ୍ଲ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ସୁଶାନ୍ତ ମିଶ୍ର ମାମଲା ପରିଚାଳନା କରିଥିଲେ ।