ନୂଆଦିଲ୍ଲୀ: ବଦଳିବ ଟୁଇଟରର ଲୋଗୋ । ନୀଳ ଚଢେଇ ବଦଳରେ ଟୁଇଟରର ନୂଆ ଲୋଗୋ ହେବ ଏକ୍ସ । ଏନେଇ ଖୋଦ୍ ନିଜେ ସୂଚନା ଦେଇଛନ୍ତି ଟୁଇଟରର ମାଲିକ ଏଲନ୍ ମସ୍କ । ତେବେ ଯେବେଠୁ ଏଲନ୍ ମସ୍କ ଟୁଇଟରର ମାଲିକାନା ହାସଲ କରିଛନ୍ତି, ସେବେଠୁ ସେ ଏଥିରେ ଅନେକ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି । ଆଉ ଏହି କ୍ରମରେ ଏବେ ସେ ଏହାର ଲୋଗୋରେ ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ରହିଛି ।
ଜଣେ ୟୁଜର୍ସଙ୍କ ସହିତ ଟୁଇଟର ସ୍ପେଶରେ କଥାବାର୍ତ୍ତା ହେବା ସମୟରେ ଏଲନ୍ ମସ୍କ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏଲନ୍ ମସ୍କଙ୍କୁ ଉକ୍ତ ବ୍ୟକ୍ତି ଜଣକ ପ୍ରଶ୍ନ କରିଥିଲେ ଯେ, ସତରେ କଣ ଟୁଇଟରର ଲୋଗୋ ବଦଳିବାକୁ ଯାଉଛି? ଏହାର ଉତ୍ତରରେ ଏଲନ୍ ମସ୍କ କହିଥିଲେ ହଁ । ତେବେ ଏହାସହିତ ସେ ଟୁଇଟରରେ ଏକ ପୋଲ୍ ମଧ୍ୟ ଆରମ୍ଭ କରିଥିଲେ । ଯେଉଁଥିରେ କି ଦ୍ୱିପହର ୧୨ଟା ସୁଦ୍ଧା ପ୍ରାୟ ସାଢେ ୪ ଲକ୍ଷ ଲୋକ ଭୋଟ୍ ଦେଇସାରିଛନ୍ତି । ଏଥିରେ ଅଧିକାଂଶ ଲୋକ ଟୁଇଟରର ରଙ୍ଗ କଳା ରଖିବାକୁ ବାଛିଛନ୍ତି ।
ମସ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଟୁଇଟରର ଲୋଗୋ ଏକ୍ସରେ ପରିବର୍ତ୍ତନ ହେଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଆଜି ରାତି ଭିତରେ ଏକ୍ସ ଲୋଗୋର କୌଣସି ଭଲ ଫଟୋ ପୋଷ୍ଟ ହୁଏ, ତେବେ କାଲି ସେ ଏହାକୁ ଲାଇଭ୍ କରିଦେବେ । ଏଥିସହିତ ସେ ଆଉ ଏକ ଟୁଇଟ୍ କରି ଲେଖିଛନ୍ତି – ଶୀଘ୍ର ଆମେ ଟୁଇଟରର ବ୍ରାଣ୍ଡ ଏବଂ ଧୀରେ ଧୀରେ ପକ୍ଷୀଙ୍କୁ ଅଲବିଦା କହିବୁ ।
ଟୁଇଟରର ନୂଆ ଲୋଗୋ ଏକ୍ସ ହେବାର ଯଥେଷ୍ଟ କାରଣ ମଧ୍ୟ ରହିଛି । ଏହାପୂର୍ବରୁ ଏଲନ୍ ମସ୍କଙ୍କର ଏକ ଅନଲାଇନ୍ ବୁକିଂ କମ୍ପାନୀ ରହିଥିଲା । ଯାହାର ନାମ ଥିଲା ଏକ୍ସ. କମ୍ । ତେଣୁ ଟୁଇଟରର ନୂଆ ଲୋଗୋ ଏକ୍ସ ହେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହା ପୂର୍ବରୁ ମଧ୍ୟ ଏଲନ୍ ମସ୍କ ଟୁଇଟରର ଲୋଗୋ ପରିବର୍ତ୍ତନ କରିଥିଲେ । ନୀଳ ଚଡେଇ ବଦଳରେ ମସ୍କ କୁକୁରର ଫଟୋକୁ ଟୁଇଟରର ଲୋଗୋ କରିଥିଲେ । ହେଲେ କିଛି ଦିନ ପରେ ଟୁଇଟର ପୁରୁଣା ଲୋଗୋ ପୁଣି ଫେରିଆସିଥିଲା ।