ଲଣ୍ଡନ: ବ୍ରିଟିଶ ପାସପୋର୍ଟରେ ଏଣିକି ମହାରାଜା ଚାର୍ଲସ ତୃତୀୟଙ୍କ ନାମକୁ ସ୍ଥାନିତ କରାଯାଇଥିବାବେଳେ ଏହାର ଶୀର୍ଷକ ‘ହିଜ୍ ମ୍ୟାଜେଷ୍ଟି’କୁ ପରିବର୍ତ୍ତନ କରାଯାଇଛି । ସୂଚନାଯୋଗ୍ୟ ଇତିପୂର୍ବରୁ ଦୀର୍ଘ ୭୦ ବର୍ଷ ଧରି ବ୍ରିଟିଶ ପାସପୋର୍ଟରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନାମ ସ୍ଥାନ ପାଇଆସୁଥିବାବେଳେ ଏହା ‘ହର୍ ମ୍ୟାଜେଷ୍ଟି’ ଭାବେ ପରିଚିତ ଥିଲା । ୧୯୫୨ରେ ଶେଷଥର ପାଇଁ ବ୍ରିଟିଶ ପାସପୋର୍ଟରେ ତତ୍କାଳୀନ ମହାରାଜା ପଞ୍ଚମ ଜର୍ଜଙ୍କ ନାମ ଉଲ୍ଲେଖ କରାଯାଇଥିଲା ।
ବ୍ରିଟେନର ଗୃହମନ୍ତ୍ରୀ ସୁଏଲା ବ୍ରାଭେରମ୍ୟାନ୍ ବୁଧବାର ନୂତନ ପାସପୋର୍ଟ ଡିଜାଇନକୁ ଉନ୍ମୋଚନ କରିଛନ୍ତି । ତେବେ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି ବ୍ରିଟିଶ ମହାରାଜ କିମ୍ବା ମହାରାଣୀଙ୍କ ନିଜସ୍ୱ ପାସପୋର୍ଟ ନଥିବାବେଳେ ବିଦେଶଗସ୍ତ ସମୟରେ ସେମାନଙ୍କୁ ପାସପୋର୍ଟ ବ୍ୟବହାର କରିବାର ଆବଶ୍ୟକତା ପଡିନଥାଏ । ବ୍ରିଟିଶ ପାସପୋର୍ଟର ପ୍ରଥମ ପୃଷ୍ଠାରେ ମହାରାଜଙ୍କ ନାମରେ କେତେକ ନିର୍ଦ୍ଦେଶାବଳୀକୁ ସ୍ଥାନିତ କରାଯାଇଛି । ତେବେ ମହାରାଣୀଙ୍କ ନାମରେ ପୂର୍ବରୁ ଇସ୍ୟୁ ହୋଇସାରିଥିବା ପାସପୋର୍ଟଗୁଡିକର ବୈଧତା ଶେଷ ହେବାପରେ ନୂତନ ପାସପୋର୍ଟ ଇସ୍ୟୁ କରାଯିବ ବୋଲି କୁହାଯାଇଛି ।