ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହରରେ ବୁଧବାର ମୁଷଳଧାରାରେ ବର୍ଷା ହୋଇଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସହରର କେତେକ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ଗୁରୁବାର ମୁମ୍ବାଇରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସରକାରୀ ଓ ଘରୋଇ ଅଫିସଗୁଡିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି । ଫଳେରେ କର୍ମଚାରୀମାନେ ଠିକଣା ସମୟରେ ଘରେ ପହଞ୍ଚି ପାରିବେ ବୋଲି କୁହାଯାଇଛି । ରେଳଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ମୁମ୍ବାଇର ଲାଇଫ୍ ଲାଇନ କୁହାଯାଉଥିବା ଲୋକାଲ ଟ୍ରେନ୍ ସେବା ଏକପ୍ରକାର ଠପ୍ ହୋଇପଡିଛି । ମୁମ୍ବାଇ ବ୍ୟତୀତ ପାଲଘର ଓ ରାୟଗଡ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି ।