ଅହମ୍ମଦାବାଦ: ଗୁଜରାଟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତିି ଅଣାୟତ୍ତ ହୋଇପଡିଛି । ସମଗ୍ର ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୦୦ ମିଲିଲିଟରରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିବାବେଳେ ରାଜକୋଟ, ଗୀର ସୋମନାଥ ଓ ସୁରଟ୍ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ଘଟିଛି । ରାସ୍ତାଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଥିବାବେଳେ କାର ଓ ଅନ୍ୟ ଚାରିଚକିଆ ଯାନ ବର୍ଷାପାଣିରେ ଭାସୁଥିବା ଲକ୍ଷ୍ୟ କରାଯାଇଛି । ଏହି ତିନିଟି ଜିଲ୍ଲାର ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ୍ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୪୩ଟି ଡ୍ୟାମକୁ ଆଲର୍ଟ ମୋଡ୍ରେ ରଖାଯାଇଥିବାବେଳେ ଅନ୍ୟ ୧୯ଟି ଡ୍ୟାମ ପ୍ରତି ସତର୍କ ନଜର ରଖିବାକୁ କୁହାଯାଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।