ଲଣ୍ଡନ: ଚଳିତ ୱିମ୍ବଲଡନ୍ ଓପନ୍ର ତୃତୀୟ ରାଉଣ୍ଡ୍ରେ ପହଞ୍ଚିଛନ୍ତି ସ୍ପେନ୍ର ପ୍ରଥମ ସିଡେଡ୍ ଖେଳାଳି କାର୍ଲୋସ୍ ଆଲ୍କାରାଜ । ସେ ଶୁକ୍ରବାର ପୁରୁଷ ସିଙ୍ଗଲ୍ସ ବର୍ଗର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ୬-୪,୭-୬(୭/୨),୬-୩ରେ ଫ୍ରାନ୍ସର ଆଲେକ୍ଜାଣ୍ଡର୍ ମୁଲର୍ଙ୍କୁ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ର ଅନ୍ତିମ ୧୬ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଥିବା ଆଲ୍କାରାଜ ଏଠାରେ ଚାମ୍ପିଅନ୍ ହୋଇ ଓପନ୍ ଏରାରେ ତିନିଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ ପୂର୍ବକ କିମ୍ବଦନ୍ତୀ ଟେନିସ୍ ଖେଳାଳି ବୋରିସ୍ ବେକର୍ ଓ ବିଜୋର୍ନ ବର୍ଗଙ୍କ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ବେଲାରୁଷ୍ର ଦ୍ୱିତୀୟ ସିଡ୍ ଖେଳାଳି ଆରିନା ସାବାଲେଙ୍କା ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ବାର୍ବାରା ଗ୍ରାଚେଭାଙ୍କୁ ୨-୬,୭-୫,୬-୨ରେ ହରାଇ ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି । ତୃତୀୟ ରାଉଣ୍ଡ୍ରେ ତାଙ୍କର ମୁକାବିଲା ରୁଷିଆର ଆନ୍ନା ବ୍ଲିନ୍କୋଭାଙ୍କ ସହ ହେବ ।
ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ରୁଷିଆର ଡାନିଲ୍ ମେଡଭେଡେଭ୍ ଫ୍ରାନ୍ସର ଆଡ୍ରିଆନ୍ ମାନାରିନୋଙ୍କୁ ୬-୩,୬-୩,୭-୬(୫)ରେ ପରାସ୍ତ କରିଛନ୍ତି । ଏଥିସହ ସେ ଏଠାରେ ପ୍ରଥମ ଥର ପାଇଁ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିବା ଦିଗରେ ଅଗ୍ରସର ହୋଇଛନ୍ତି । ତା’ଛଡ଼ା ଡେନ୍ମାର୍କର ୨୦ ବର୍ଷୀୟ ଷଷ୍ଠ ସିଡ୍ ଖେଳାଳି ହୋଲ୍ଗର ରୁନ୍ ସ୍ପେନ୍ର ରୋବେର୍ଟୋ କାର୍ଲୋସ୍ ବାଏନାଙ୍କୁ ୬-୩,୭-୬(୩),୬-୪ରେ ପରାସ୍ତ କରି ତୃତୀୟ ରାଉଣ୍ଡ୍ରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ନବମ ସିଡ୍ ଚେକ୍ ଗଣରାଜ୍ୟର ପେତ୍ରା କ୍ୱିତୋଭା ଆଲିକ୍ଜାଣ୍ଡ୍ରା ସାସ୍ନୋଭିଚ୍ଙ୍କୁ ୬-୨, ୬-୨ରେ ପରାସ୍ତ କରି ତୃତୀୟ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି ।