ନୂଆଦିଲ୍ଲୀ : କ୍ରିକେଟ୍ ଆୟର୍ଲାଣ୍ଡ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର କାର୍ଯ୍ୟକ୍ରମ ଜାରି କରିଛି । ଏହି ଅନୁସାରେ ସିରିଜ୍ର ଆରମ୍ଭ ଅଗଷ୍ଟ ୧୮ରୁ ହେବ ଏବଂ ସମସ୍ତ ତିନିଟି ଯାକ ମ୍ୟାଚ୍ ମଲାହାଇଡ୍ରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୦ରେ ଏବଂ ଅନ୍ତିମ ମ୍ୟାଚ୍ ୨୩ ତାରିଖରେ ଅନୁଷ୍ଠିତ ହେବ । ୱେଷ୍ଟ୍ଇଣ୍ଡିଜ୍ ଗସ୍ତ ପରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ୍ ଗସ୍ତ କରିବ । ଆୟର୍ଲାଣ୍ଡ ପୂର୍ବରୁ ଟିମ୍ ଇଣ୍ଡିଆ ଜୁଲାଇ-ଅଗଷ୍ଟରେ ୱେଷ୍ଟ୍ଇଣ୍ଡିଜ୍ ଗସ୍ତ କରିବ । ଏଥିପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇସାରିଛି । ଜୁଲାଇ ୧୨ରେ ଦୁଇ ବିଶିଷ୍ଟ ଟେଷ୍ଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ । ଜୁଲାଇ ୨୭ରୁ ୩ ଦିନିକିଆ ଏବଂ ଅଗଷ୍ଟ ୩ରୁ ୫ ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେବ । ଅଗଷ୍ଟ ୧୩ ତାରିଖରେ ପଞ୍ଚମ ଟି-୨୦ ସହିତ ଟିମ୍ ଇଣ୍ଡିଆର ଇଣ୍ଡିଜ୍ ଗସ୍ତ ଶେଷ ହେବ ।
ଗତବର୍ଷ ଟିମ୍ ଇଣ୍ଡିଆ ଶେଷଥର ପାଇଁ ଟି-୨୦ ସିରିଜ୍ ଖେଳିବାକୁ ଆୟର୍ଲାଣ୍ଡ ଗସ୍ତ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଟିମ୍ ଇଣ୍ଡିଆ ୨-୦ରେ ବିଜୟୀ ହୋଇଥିଲା । ଭାରତ ଓ ଆୟର୍ଲାଣ୍ଡ୍ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟି-୨୦ ସିରିଜ୍ ଖେଳାଯାଇଥିବା ବେଳେ ଉଭୟରେ ଭାରତ ବିଜୟୀ ହୋଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଥିବା ବେଳେ ଟି-୨୦ ସିରିଜ୍ ପାଇଁ ଟିମ୍ ଘୋଷଣା ହୋଇନାହିଁ । ବୋର୍ଡ ଉଭୟ ୱେଷ୍ଟ୍ଇଣ୍ଡିଜ୍ ଓ ଆୟର୍ଲାଣ୍ଡ୍ ଗସ୍ତ ପାଇଁ ଏକସଙ୍ଗରେ ଟିମ୍ ଘୋଷଣା କରିପାରେ । ଆୟର୍ଲାଣ୍ଡ୍ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ର ନେତୃତ୍ୱ ପ୍ରଦାନ କରାଯାଇପାରେ ।