ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ । ଏହି ଅବସରରେ କୃଷିଭବନ ସମ୍ମିଳନୀ କକ୍ଷରେ ଏକ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓପିଏସ୍ସି ଦ୍ୱାରା ମନୋନୀତ ୧୬୦ ଜଣଙ୍କ ମଧ୍ୟରୁ ୧୫୮ଜଣ କାଉନସେଲିଂ ପ୍ରକ୍ରିୟାରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କାଉନସେଲିଂ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ବିବରଣୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ପ୍ରଦାନ କରିଥିଲେ । ଏହାପରେ ନବନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଇଥିଲା ।
କେଉଁ ଅଧିକାରୀ କେଉଁ ସ୍ଥାନରେ କେଉଁ ପଦବୀରେ ଯୋଗଦେବେ ତାହା ସେମାନଙ୍କୁ ଜଣାଇ ଦିଆଯାଇଥିଲା । କାର୍ଯ୍ୟକ୍ରମର ଚୂଡାନ୍ତ ପର୍ଯ୍ୟାୟରେ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ ସମସ୍ତ ଦ୍ୱନ୍ଦ୍ୱ ପଚାରି ବୁଝିଥିଲେ । ନିଯୁକ୍ତି ପାଇବାକୁ ଥିବା ଏହି ଅଧିକାରୀମାନଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟେଟ୍ କନଭେନସନ୍ ସେଣ୍ଟରଠାରେ ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଶିକ୍ଷା ସେବା ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଦୃଢପ୍ରତିଜ୍ଞ ହେବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷାର ବିକାଶ ପାଇଁ ସେମାନଙ୍କୁ ଯେଉଁ ସୁଯୋଗ ମିଳିଛି ସମସ୍ତେ ନିଶ୍ଚିତ ଭାବେ ତାହାର ସଦୁପଯୋଗ କରିବେ ବୋଲି ଶ୍ରୀ ସାହା ଆଶାବ୍ୟକ୍ତ କରିଥିଲେ ।
ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ‘ମୋ ସରକାର’ର ଜନାଦେଶ ଉପରେ ମଧ୍ୟ ସମ୍ୟକ୍ ଧାରଣା ପ୍ରଦାନ କରାଯାଇଥିଲା । କାଉନସେଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ କହିଥିଲେ, ଲୋକମାନଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ୟ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବ । ଯୁବ ଅଧିକାରୀମାନେ ରାଜ୍ୟର ସ୍ୱପ୍ନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରନ୍ତୁ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମହାପାତ୍ର ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ସାହାଯ୍ୟ, ସହଯୋଗ ମାଧ୍ୟମରେ ଶିକ୍ଷା ବିଭାଗକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ବିଦ୍ୟାଳୟ, ବ୍ଲକ୍ ଓ ଜିଲ୍ଲାର ତୃଣମୂଳ ସ୍ତରକୁ ଯାଇ ପିଲାମାନଙ୍କ ଶୈକ୍ଷିକ ବିକାଶ ପାଇଁ ନୂତନ କାର୍ଯ୍ୟପନ୍ଥା ଆପଣେଇବାକୁ ପାଇଁ ପରାମର୍ଶ ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଯୁଗୋପଯୋଗୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ଅଧିକ ଦାୟିତ୍ୱବାନ ଓ ଯନିବାନ ହେବା ପାଇଁ ପ୍ରେରଣା ଦେଇଥିଲା ।