ଲଣ୍ଡନ: ପାଖାପାଖି ଦୁଇ ବର୍ଷେ ତଳେ ସାଉଥାମ୍ପଟନ୍ରେ ଟିମ୍ ଇଣ୍ଡିଆ ପାଖରେ ଆଇସିସି ଟ୍ରଫି ଜିତି ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇବା ସକାଶେ ସୁଯୋଗ ରହିଥିଲା । କିନ୍ତୁ ଦଳ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି)ର ଉଦ୍ଘାଟନୀ ସଂସ୍କରଣ ଫାଇନାଲ୍ରେ ନ୍ୟୁଜିଲାଣ୍ଡ୍ଠାରୁ ୮ ୱିକେଟ୍ରେ ହାରିବା ଫଳରେ ଏହି ସୁଯୋଗ ହାତଛଡ଼ା ହୋଇଥିଲା । ଦୁଇ ବର୍ଷ ପରେ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ରେ ପହଞ୍ଚିଥିବାରୁ ଟିମ୍ ଇଣ୍ଡିଆ ଏଥର ଆଇସିସି ଟ୍ରଫି ହାସଲ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ।
ଦ୍ୱିତୀୟ ସଂସ୍କରଣର ଫାଇନାଲ୍ ବୁଧବାରଠାରୁ ଏଠାକାର କେନିଙ୍ଗଟନ୍ ଓଭାଲ୍ଠାରେ ଖେଳାଯିବାକୁ ଥିବା ବେଳେ ଏଥିରେ ଭାରତ ସାମ୍ନାରେ ରହିଛି ଅଷ୍ଟ୍ରେଲିଆ । ଡବ୍ଲ୍ୟୁଟିସିର ଗତ ଦୁଇଟି ସଂସ୍କରଣରେ ଟିମ୍ ଇଣ୍ଡିଆର ସ୍ଥିର ପ୍ରଦର୍ଶନ ଏହି ପାଞ୍ଚଦିନିଆ ଫର୍ମାଟ୍ରେ ଦଳର ଦବ୍ଦବା କେତେ, ତାହା ସ୍ପଷ୍ଟ କରିଦେଇଛି ।
ଏକାଧିକ ପ୍ରତିଭାଶାଳୀ ଖେଳାଳି ଓ ସଠିକ୍ ସମୟରେ ସେମାନଙ୍କ ପ୍ରଦର୍ଶନ ଏଥିପାଇଁ ଦାୟୀ । ବିଶେଷକରି ଦଳର ସଶକ୍ତ ବ୍ୟାଟିଂ ବିଭାଗ ବ୍ୟତୀତ ବୋଲିଂ ବିଭାଗରେ ମଧ୍ୟ ଯଥେଷ୍ଟ ଶକ୍ତି ରହିଛି । ଦଳର ବୋଲିଂ ଲାଇନ୍ ବିଶ୍ୱର ଯେକୌଣସି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍କୁ ଚାଲେଞ୍ଜ୍ ଦେବାର କ୍ଷମତା ରଖେ ।
ଅବଶ୍ୟ ଆଇସିସି ଟ୍ରଫି ଜିତିବା ସକାଶେ କେବଳ ଦକ୍ଷତା ଯଥେଷ୍ଟ ନୁହେଁ । ଏଥିସକାଶେ ଦକ୍ଷତା ସହ ମାନସିକ ଦୃଢ଼ତା ଓ ଚାପରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏପରି ହେଲେ ଦଳ ଆଇସିସି ଟ୍ରଫି ପାଇଁ ଦୀର୍ଘ ଦଶନ୍ଧି ଧରି ରହିଥିବା ଅପେକ୍ଷାର ଅନ୍ତ ଘଟାଇପାରିବ ।
ଅଷ୍ଟ୍ରେଲିଆ ସପକ୍ଷରେ ଦଳ ସ୍ଥିର ପ୍ରଦର୍ଶନ ସହ ଅତୀତର ସଫଳତା ରହିଛି । ଦଳର ଲଢ଼ୁଆ ମନୋବୃତ୍ତି ଏହାକୁ ଅନ୍ୟାନ୍ୟ ଦଳଠାରୁ ଭିନ୍ନ କରିଆସିଛି । ତେଣୁ ଏପରି ଏକ ଦଳକୁ ପରାସ୍ତ କରି ଟ୍ରଫି ଜିତିବା ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆ ପାଇଁ ଅତିରିକ୍ତ ଆହ୍ୱାନ । ଅଷ୍ଟ୍ରେଲିଆ ଦଳରେ ଏକାଧିକ ଅଭିଜ୍ଞ ଖେଳାଳି ରହିଥିବା ବେଳେ ସେମାନଙ୍କ ପାଖରେ ମ୍ୟାଚ୍ର ମୋଡ଼ ବଦଳାଇବାର କ୍ଷମତା ରହିଛି ।
ତେଣୁ ସେମାନଙ୍କୁ ମାତ୍ ଦେବା ସକାଶେ ଟିମ୍ ଇଣ୍ଡିଆ ଏକ ଦୃଢ଼ ରଣନୀତି ପ୍ରସ୍ତୁତ କରିବା ସହ ପଡ଼ିଆରେ ତା’ର ତ୍ରୁଟିହୀନ ଉପଯୋଗ କରିବା ନିହାତି ଦରକାର । ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ଗତ ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଇଂଲଣ୍ଡ ମାଟିରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ସେବେଠାରୁ ଦଳ ଯଦିଓ ୩ ଥର ଟ୍ରଫି ନିକଟତର ହୋଇଛି, କିନ୍ତୁ ଫାଇନାଲ୍ରେ ଏହା ପ୍ରତିପକ୍ଷକୁ ପଛରେ ପକାଇବାରେ ବିଫଳ ରହିଛି ।
ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣରେ ଟିମ୍ ଇଣ୍ଡିଆ ୬ଟି ସିରିଜ୍ ଖେଳିଥିବା ବେଳେ ଏଥିରେ କେବଳ ସାଉଥ୍ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇଛି । କିନ୍ତୁ ଘରୋଇ ମାଟିରେ ଏହା ଅଭେଦ୍ୟ ରହିଛି । ଇଂଲଣ୍ଡରେ ସିରିଜ୍କୁ ଡ୍ର’ ରଖିବା ସହ ବାଂଲାଦେଶ ବିପକ୍ଷରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲା ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, କେଏସ୍ ଭର˜ଈଶାନ୍ କିଶନ୍ (ୱିକେଟ୍କିପର୍), ରବିଚନ୍ଦ୍ରନ୍ ଅଶ୍ୱିନ୍/ଶାର୍ଦ୍ଦୁଲ୍ ଠାକୁର, ଉମେଶ ଯାଦବ/ଜ=ଦେବ ଉନାଦକତ୍, ମହମ୍ମଦ ଶମି ଓ ମହମ୍ମଦ ସିରାଜ୍ ।
ସମ୍ଭାବ୍ୟ ଅଷ୍ଟ୍ରେଳିଆ ଏକାଦଶ: ଡେଭିଡ୍ ୱାର୍ଣ୍ଣର୍, ଉସମାନ୍ ଖୱାଜା, ମାର୍ନସ୍ ଲାବୁଶେନ୍, ଷ୍ଟିଭେନ୍ ସ୍ମ୍ିଥ୍, ଟ୍ରେଭିସ୍ ହେଡ୍, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କ୍ୟାରୀ (ୱିକେଟ୍କିପର୍), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ୍ ଲିଅନ୍ ଓ ସ୍କଟ୍ ବୋଲାଣ୍ଡ୍ ।