19.1 C
Bhubaneswar
Sunday, November 24, 2024
Homeଓଡିଶାଜଙ୍ଗଲ ସଂରକ୍ଷଣ ବିଲ୍-୨୦୨୩ କୁ ପ୍ରତ୍ୟାହାର ଦାବିରେ ମହିଳା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ...

ଜଙ୍ଗଲ ସଂରକ୍ଷଣ ବିଲ୍-୨୦୨୩ କୁ ପ୍ରତ୍ୟାହାର ଦାବିରେ ମହିଳା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ରାଜଧାନୀରେ ପ୍ରତିବାଦ ବିକ୍ଷୋଭ

ଭୁବନେଶ୍ୱର: ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ସାମ୍ବିଧାନିକ ଆଇନଗୁଡ଼ିକର
ମନମୁଖୀ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ଷଢଯନ୍ତ୍ର ବିରୋଧରେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମହିଳାଙ୍କ ଆଜି ରାଜ୍ୟ ସଚିବାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି।

ସେମାନେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ତଥା ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ (ସଂଶୋଧନ)ବିଲ୍-୨୦୨୩ କୁ
ପ୍ରତ୍ୟାହାର କରିବା, ଅମଲାତନ୍ତ୍ର ଦ୍ଵାରା ମନୋମୁଖୀ ଭାବେ ଖାରଜ ହୋଇଥିବା ଏକ ଲକ୍ଷ ବୟାଳିଶ ହଜାର (୧,୪୨,୦୦୦) ଜଙ୍ଗଲ ଅଧିକାର ଦାବି ଦସ୍ତାବିଜ ଗୁଡିକୁ ଗ୍ରାମସଭା କମିଟି ନିକଟକୁ ପୁନଃ ବିଚାର ପାଇଁ ଫେରସ୍ତ କରିବା ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ର ସଠିକ କାର୍ଯ୍ୟକାରୀ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଜି ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି) ନେତୃତ୍ବରେ ଏକ ବିଶାଳ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ କରିଛନ୍ତି ।

ବିକ୍ଷୋଭକାରୀ ମାନେ ଅଭିଯୋଗ କରିଥିଲେ ଯେ, ୨୦୧୯ରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି ନେତୃତ୍ଵରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନ୍.ଡି.ଏ)କୁ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରେ ଜଙ୍ଗଲ ସଂରକ୍ଷଣ, ବନ୍ୟଜୀବ ସଂରକ୍ଷଣ, ପର୍ଯ୍ୟାବରଣ ସଂରକ୍ଷଣ, ଜୈବ ବିବିଧତା ଏବଂ ଖଣି ଖନନ ଆଦି ସମ୍ବନ୍ଧିତ ଆଇନ ଏବଂ ନୀତିଗୁଡ଼ିକରେ ବହୁତ ଗୁଡ଼ିଏ ପରିବର୍ତ୍ତନ କରୁଛି ତଥା କରିବାକୁ ଯାଉଛି। ଏହି ଆଇନ ଗୁଡ଼ିକରେ ହୋଇଥିବା ପରିବର୍ତ୍ତନର ବିନାଶକାରୀ ପ୍ରଭାବ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ ଉପରେ ପଡ଼ୁଛି।

ଏଥିସହିତ, ଏହି ସଂଶୋଧନଗୁଡ଼ିକ କାରଣରୁ ସାମ୍ବିଧାନିକ ଗଣତନ୍ତ୍ର ବ୍ୟବସ୍ଥା ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ (ଜଙ୍ଗଲ ଅଧିକାର ମାନ୍ୟତା) ଆଇନ- ୨୦୦୬, ଏବଂ ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଂପ୍ରସାରଣ (ପେସା) ଆଇନ୍- ୧୯୯୬ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଅଧିକାର, ସଂରକ୍ଷଣ ଓ ପରିଚାଳନା ପାଇଁ ଅଧିକାର ପ୍ରଦାନ କରିଛି । କିନ୍ତୁ ବର୍ତ୍ତମାନର ସରକାର ଦ୍ୱାରା ଅଣାଯାଉଥିବା ସଂଶୋଧନଗୁଡ଼ିକ ଜଙ୍ଗଲ ଅଧିକାର ଆଇନ ଏବଂ ପେସା ଆଇନ ଦ୍ଵାରା ନିର୍ଦ୍ଧାରିତ ଲୋକତାନ୍ତ୍ରିକ ଅଧିକାର ଓ ଶାସନ ଉପରେ ବିପଦର କଳା ବାଦଲକୁ ଡାକି ଆଣିଛି।

ଏହି ଆଇନ ଗୁଡ଼ିକରେ ପରିବର୍ତ୍ତନ କରିବା ପଛରେ ଏହି ସରକାରଙ୍କର ଏକ ଗୁପ୍ତ ଚକ୍ରାନ୍ତ ରହିଛି। ସରକାରଙ୍କୁ ବିଭିନ୍ନ ଜନାଭିମୂଖୀ ଆଇନ୍ ଓ ସାମ୍ବିଧାନିକ ବ୍ୟବସ୍ଥା ଗୁଡିକୁ କାହିଁକି ମନମୁଖୀ ପରିବର୍ତ୍ତନ କରାଯାଉଛି ଏବଂ କଣ ପାଇଁ କରାଯାଉଛି, ତାହା ବୁଝିବା ଏବଂ ସରକାରୀ ଷଢଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ବିଭିନ୍ନ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।

ଏହି ଆଇନଗୁଡ଼ିକରେ କରାଯାଉଥିବା ସଂଶୋଧନଗୁଡ଼ିକର ପ୍ରତିକୂଳ ପ୍ରଭାବ ଆଦିବାସୀ ଏବଂ ଅନ୍ୟ ଜଙ୍ଗଲବାସୀ ସମୁଦାୟଙ୍କ ଉପରେ ପଡ଼ିବ, ଯେଉଁମାନେ ସର୍ବଦା ପ୍ରକୃତିର କୋଳରେ ବଞ୍ଚିଥାନ୍ତି। ଏହି ଖନନ କ୍ଷେତ୍ରଗୁଡ଼ିକରେ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଖଣି ଖନନ-କାର୍ଯ୍ୟ ଯୋଗୁଁ ପ୍ରଦୂଷଣ, ଜୀବନ-ଜୀବିକାର ହାନି ସହିବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ, ଜଙ୍ଗଲ ସଂରକ୍ଷଣ ଅଧିନିୟମ ଦ୍ୱାରା ଜଙ୍ଗଲ ଏବଂ ଅନ୍ୟ ସମ୍ବଳଗୁଡ଼ିକୁ ନିୟନ୍ତ୍ରିତ କରିବାର ଗ୍ରାମସଭାର ଅଧିକାରକୁ ଦୁର୍ବଳ କରାଯାଉଛି।

ଜଙ୍ଗଲ ଅଧିକାର ସଂଶୋଧିତ ନିୟମ ଦ୍ୱାରା ଦିଆଯାଇବା ଜଙ୍ଗଲ-ମଞ୍ଜୁରୀ ପାଇଁ ଆବଶ୍ୟକ ପୂର୍ବ ସ୍ୱତନ୍ତ୍ର, ସୂଚିତ ସହମତିର ଆବଶ୍ୟକତାକୁ ଶେଷ କରୁଛି। ଏହି ନିୟମ ଅନୁସାରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଥିବା ସମସ୍ତ ଅଧିକାରକୁ କେବଳ ଷ୍ଟେଜ-୨ (ଦ୍ୱିତୀୟ ସ୍ତର) ଜଙ୍ଗଲ ମଞ୍ଜୁରୀ ପରେ ସ୍ଥିର କରାଯିବ। ସେହିପରି, ଜୈବ ବିବିଧତା ଅଧିନିୟମ, ୨୦୦୧ (ବିଡ଼ିଏ)ରେ ପ୍ରସ୍ତାବିତ ସଂଶୋଧନ ଏଫ.ଆର.ଏ ର ଧାରା ୫ ଦ୍ୱାରା ଗ୍ରାମ ସଭାକୁ ନିଜ ଜଙ୍ଗଲ, ବନ୍ୟ ଜୀବନ ଏବଂ ଜୈବବିବିଧତାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରବନ୍ଧନର ଅଧିକାର, ତଥା ଧାରା ୩(୧) ଦ୍ୱାରା ସମୁଦାୟର ବୌଦ୍ଧିକ ସମ୍ବଳ ଉପରେ ସମୁଦାୟର ଅଧିକାରକୁ ଅଣଦେଖା କରୁଛି।

ଏହି ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଭାରତର କମ୍ପାନୀମାନଙ୍କୁ ଜୈବିକ ସମ୍ବଳ ଏବଂ ଜ୍ଞାନର ବ୍ୟବସାୟିକ ଉପଯୋଗର ରାସ୍ତା ନିର୍ମାଣ କରାଯାଉଛି। ସେଥିପାଇଁ, ଏହି ସଂଶୋଧନଗୁଡ଼ିକ ବ୍ୟବସାୟରେ ସୁବିଧା ଆଣିବା ବାହାନାରେ ଜଙ୍ଗଲ ଅଧିକାର ଆଇନ ଏବଂ ପେସା ଆଇନ୍ ଦ୍ୱାରା ଆଦିବାସୀମାନଙ୍କୁ ଦିଆଯାଇଥିବା ଅଧିକାରର ହନନ କରୁଛି। ଅନ୍ୟ ପକ୍ଷରେ ସରକାର ଜଙ୍ଗଲ ଅଧିକାର ଆଇନ -୨୦୦୬ ଓ ସଂଶୋଧନ ନିୟମାବଳୀ -୨୦୧୨ କୁ ଉଲଙ୍ଘନ କରି ଏକ ଲକ୍ଷ ବୟାଳିଶ ହଜାର (୧,୪୨,୦୦୦) ପରିବାରଙ୍କର ବ୍ୟକ୍ତିଗତ ଅଧିକାରକୁ ଗ୍ରାମସଭାର ବିନା ଅନୁମୋଦନରେ ଖାରଜ କରିଛନ୍ତି ।

ନିୟମ ଅନୁସାରେ ସେମାନେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସଂପର୍କିତ ଦାବି ଗୁଡ଼ିକୁ ଗ୍ରାମସଭାର ପୁନଃ ବିଚାର ପାଇଁ ଫେରସ୍ତ କରିବା ଆବଶ୍ୟକ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଜଙ୍ଗଲ (ସରଂକ୍ଷଣ) ସଂଶୋଧନ ବିଲ୍ -୨୦୨୩ ଆଣିଛନ୍ତି, ଯାହା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କର ବ୍ୟାପକ କ୍ଷତି ସାଧନ କରିବ ଏବଂ ଯେଉଁଥିରେ ଗ୍ରାମସଭାର କୈାଣସି ମାନ୍ୟତା ରହିବ ନାହିଁ l ସେହିପରି ଆମ ଓଡିଶା ରେ ପ୍ରତେକ ଜିଲ୍ଲାରେ ଲୋକ ମାନଙ୍କର ବ୍ୟକ୍ତିଗତ ଚାଷ ଜମିରେ ଜଙ୍ଗଲ ବିଭାଗ ପକ୍ଷରୁ ବଳପୂର୍ବକ ବୃକ୍ଷରୋପଣ ଓ ନର୍ସରୀ ହେବ, ଯେଉଁଥିରେ ଆମ୍ଭମାନଙ୍କର ଓ ଆମ ଭବିଷ୍ୟତ ପୀଢ଼ି ମାନଙ୍କର କୈାଣସି ଅଧିକାର ରହିବ ନାହିଁ ।

ସି.ଏସ୍.ଡି ର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ଆବାହକ ମଣ୍ଡଳୀର ସଦସ୍ୟ ପ୍ରଦୀପ ସାହୁ, ଡଃ ଶ୍ରୀଚରଣ ବେହେରା ଓ ନରେନ୍ଦ୍ର ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଓଡ଼ିଶା ନାରୀ ସମାଜର କାର୍ମୀ ବେସ୍ରା, ଭିଟାମାଟି ସୁରକ୍ଷା ଅଭିଯାନର ମଞ୍ଜୁ, ଗଜପତିର ସେବିକା ଶବର, ଖୋର୍ଦ୍ଧା ର ଟୁନି ଦାସ, ଗଞ୍ଜାମର କୁନି ଶବର, ଗୁରୁବାରୀ ଶବର, ରୁମିତା କୁଣ୍ଡୁ, ସସ୍ମିତା ଜେନାଙ୍କ ସମେତ ବରିଷ୍ଠ ସାମ୍ବାଦିକ ରବି ଦାସ, ଅଭିରାମ ବେହେରା, ଅମୀୟ ପାଣ୍ଡବ, ଶ୍ରୀମନ୍ତ ମହାନ୍ତି, ଶଙ୍କର, ଟୁନା ମଲ୍ଲିକ, ପୂର୍ଣ୍ଣ ପ୍ରଧାନ, ମଣିରାମ, ମୂରଲୀଧର ନାୟକ, ଭୀଷ୍ମ ପାଙ୍ଗୀ, ବିରଞ୍ଚି ବରିହା ପ୍ରମୁଖ ଉଦବୋଧନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବିକ୍ଷୋଭକାରୀ ମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ଓ ପରିବେଶ ବିଭାଗର ଶାସନ ସଚିବ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ସେମାନଙ୍କ ନ୍ୟାୟ ସଙ୍ଗତ ଦାବି ଗୁଡ଼ିକୁ ଅଣଦେଖା କଲେ ପରବର୍ତ୍ତୀ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking