ଆଡିଲେଡ୍ : ଏଠାକାର ଦି ମେଟ୍ ଷ୍ଟାଡିୟମ୍ଠାରେ ଗୁରୁବାରଠାରୁ ଭାରତୀୟ ମହିଳା ହକି ଦଳର ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି । ତେବେ ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଏହି ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆଠାରୁ ୨-୪ରେ ପରାସ୍ତ ହୋଇଛି । ମ୍ୟାଚ୍ର ପ୍ରଥମ କ୍ୱାର୍ଟର୍ ଗୋଲ୍ଶୂନ୍ୟ ରହିବା ପରେ ବିଶ୍ୱର ୩ ନମ୍ବର ଦଳ ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ୱାର୍ଟର୍ରେ ମାତ୍ର ୬ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ଭାରତ ଉପରେ ଚାପ ପ୍ରୟୋଗ କରିବାରେ ସକ୍ଷମ ହୋଇଥିଲା । ପରେ ତୃତୀୟ କ୍ୱାର୍ଟର୍ରେ ଘରୋଇ ଦଳ ଆଉ ଦୁଇଟି ଗୋଲ୍ ଦେଇ ମ୍ୟାଚ୍ରେ ମୋଟ ୪ଟି ଗୋଲ୍ ଦେଇଥିଲା । ଅନ୍ୟପକ୍ଷରେ ବିଶ୍ୱର ୮ ନମ୍ବର ଦଳ ଭାରତ ପକ୍ଷରୁ ସଙ୍ଗୀତା କୁମାରୀ ଓ ଶର୍ମିଳା ଦେବୀ ଦୁଇଟି ଗୋଲ୍ ଦେଇଥିଲେ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ଟି ଆସନ୍ତା ଶନିବାର ଏଠାରେ ଖେଳାଯିବ ।
ମ୍ୟାଚ୍ର ପ୍ରାରମ୍ଭରୁ ଘରୋଇ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା । ଫଳସ୍ୱରୂପ ପ୍ରାରମ୍ଭରୁ ଦଳକୁ କ୍ରମାଗତ ଭାବେ ଦୁଇଟି ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । କିନ୍ତୁ ଭାରତୀୟ ଦଳର ଅଧିନାୟିକା ତଥା ତାରକା ଗୋଲକିପର୍ ସବିତା ଘରୋଇ ଦଳର ଉଭୟ ଗୋଲ୍ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ପରେ ଭାରତକୁ ମଧ୍ୟ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । କିନ୍ତୁ ଦଳର ଖେଳାଳିମାନେ ଏହାର ଫାଇଦା ନେବାରେ ବିଫଳ ହୋଇଥିଲେ । ପ୍ରଥମ ୧୫ ମିନିଟ୍ ଖେଳର ଶେଷ ଭାଗରେ ଅଷ୍ଟ୍ରେଲିଆକୁ ମ୍ୟାଚ୍ର ତୃତୀୟ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ତେବେ ଘରୋଇ ଦଳର ଡ୍ରାଗ୍ଫ୍ଲିକର୍ଙ୍କ ଶଟ୍ ଗୋଲ୍ପୋଷ୍ଟ୍ ବାହାରକୁ ଚାଲିଯିବା ଫଳରେ ପ୍ରଥମ କ୍ୱାର୍ଟର୍ଟି ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ମଧ୍ୟ ଅଷ୍ଟ୍ରେଲିଆ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜାରି ରଖିଥିଲା ଏବଂ ଦୁଇଟି ସୁନ୍ଦର ଗୋଲ୍ ସ୍କୋର୍ କରିବାର ସୁଯୋଗ ବି ପାଇଥିଲା ।
କିନ୍ତୁ ପୁଣିଥରେ ସବିତା ଭାରତୀୟ ଦଳକୁ ପଛୁଆ ହେବାରୁ ବଞ୍ଚାଇଥିଲେ । ତେବେ ୨୧ତମ ମିନିଟ୍ରେ ସବିତାଙ୍କୁ ମାତ୍ ଦେଇ ଆଇସଲିଙ୍ଗ୍ ଉଟ୍ରି ମ୍ୟାଚ୍ର ପ୍ରଥମ ଗୋଲ୍ ସ୍କୋର୍ କରି ଅଷ୍ଟ୍ରେଲିଆକୁ ଆଗୁଆ କରାଇଥିଲେ । ଅଷ୍ଟ୍ରେଲିଆ ତା’ର ଆକ୍ରମଣ ଧାରା ଜାରି ରଖିଥିବା ବେଳେ ଏଥିରେ ଭାରତୀୟ ରକ୍ଷଣପନ୍ଥୀ ଖେଳାଳିମାନେ ସହଯୋଗ କରିଥିଲେ । ଯାହାର ଫଳସ୍ୱରୂପ ୨୭ତମ ମିନିଟ୍ରେ ଘରୋଇ ଦଳ ତା’ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲା । ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍କୁ ମ୍ୟାଡି ଫିଜ୍ପାଟ୍ରିକ୍ ଗୋଲ୍ରେ ପରିଣତ କରିଥିଲେ । ଅବଶ୍ୟ ପ୍ରଥମାର୍ଦ୍ଧ ଖେଳ ଶେଷ ହେବା ପୂର୍ବରୁ ଭାରତ ଗୋଟିଏ ଗୋଲ୍ ଶୁଝିବାରେ ସଫଳ ହୋଇଥିଲା । ନିକ୍କି ପ୍ରଧାନଙ୍କ ଶଟ୍କୁ ସୁନ୍ଦର ଡିଫ୍ଲେକ୍ସନ୍ ମାଧ୍ୟମରେ ସଙ୍ଗୀତା ଏହି ଗୋଲ୍ଟି ସ୍କୋର୍ କରିଥିଲେ । ତୃତୀୟ କ୍ୱାର୍ଟର୍ ଆରମ୍ଭ ହେବାର ମାତ୍ର ୨ ମିନିଟ୍ ପରେ ଅଷ୍ଟ୍ରେଲିଆ ପୁଣିଥରେ ତା’ର ଦୁଇ ଗୋଲ୍ର ଅଗ୍ରଣୀକୁ କାଏମ ରଖିଥିଲା ।
ମ୍ୟାଚ୍ର ଡେବ୍ୟୁଟାଣ୍ଟ୍ ଆଲାଇସ୍ ଆର୍ନଟ୍ ୩୨ତମ ମିନିଟ୍ରେ ଅଧିନାୟକ ଜେନ୍ କ୍ଲେଜଟନ୍ଙ୍କ ପାସ୍କୁ ଗୋଲ୍ରେ ପରିଣତ କରିବାରେ ସକ୍ଷମ ହୋଇଥିଲେ । ତିନି ମିନିଟ୍ ପରେ ଅଷ୍ଟ୍ରେଲିଆ କୋର୍ଟନୀ ସ୍କୋନେଲ୍ଙ୍କ ରିଭର୍ସ ହିଟ୍ ଗୋଲ୍ ମାଧ୍ୟମରେ ୪-୧ରେ ଆଗୁଆ ରହିଥିଲା । ଅବଶ୍ୟ ୫ ମିନିଟ୍ ପରେ ଶର୍ମିଳା ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ ଦେଇ ବ୍ୟବଧାନକୁ ୨-୪ରେ ପହଞ୍ଚାଇଥିଲେ ।
ଅନ୍ତିମ କ୍ୱାର୍ଟର୍ରେ ଭାରତ ପାଇଁ ସବିତାଙ୍କ ସ୍ଥାନରେ ବିଚୁ ଦେବୀ ଗୋଲ୍କିପର୍ର ଭୂମିକା ତୁଲାଇବା ସହ ୫୪ତମ ମିନିଟ୍ରେ ଦୁଇଟି ଗୋଲ୍ ବଞ୍ଚାଇଥିଲେ । ଏହା ପରେ ପରେ ଭାରତକୁ ଗୋଲ୍ ବ୍ୟବଧାନ ହ୍ରାସ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍ରୁ ନବନୀତ କୌର୍ ମାରିଥିବା ଶଟ୍କୁ ଅଷ୍ଟ୍ରେଲୀୟ ଗୋଲ୍କିପର୍ ନ୍ୟୁମାନ୍ ଜୋଏ ରୋକିଦେଇଥିଲେ । ତେଣୁ ଭାରତ ପରାଜୟ ସହ ଗସ୍ତ ଆରମ୍ଭ କରିଛି