ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଦୁଇ ଜଣ ପ୍ରମୁଖ ଖେଳାଳିଙ୍କୁ ଆଘାତଜନିତ କାରଣରୁ ହରାଇଛି । ସେମାନେ ହେଲେ ଅଧିନାୟକ ତଥା ଓପନର ଲୋକେଶ ରାହୁଲ୍ ଓ ବାମହାତୀ ପେସର୍ ଜୟଦେବ ଉନାଦକତ୍ । ଗୁରୁବାର ଦଳ ଉନାଦକତ୍ଙ୍କ ସ୍ଥାନରେ ମୁମ୍ବାଇ ଅଲ୍ରାଉଣ୍ଡର୍ ସୂର୍ଯ୍ୟାଂଶ ଶେଜ୍ଙ୍କୁ ସାମିଲ୍ କରିଛି । ଟ୍ରେନିଂ ସେସନ୍ରେ ବାମ କାନ୍ଧରେ ଆଘାତ ଲାଗିବା ଯୋଗୁଁ ଆଇପିଏଲ୍ର ଷୋଡ଼ଶ ସଂସ୍କରଣରୁ ଉନାଦକତ୍ ବାଦ୍ ପଡ଼ିସାରିଛନ୍ତି ।
ସୂର୍ଯ୍ୟାଂଶଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ୍ କରାଯାଇଥିବା ନେଇ ଗୁରୁବାର ଜାରି ଏକ ବିବୃତିରେ କୁହାଯାଇଛି । ୨୦ ବର୍ଷୀୟ ସୂର୍ଯ୍ୟାଂଶ ଗତ ରଣ୍ଜୀ ସିଜନ୍ରେ ମୁମ୍ବାଇର ୧୭ଜଣିଆ ଦଳରେ ସାମିଲ୍ ହୋଇଥିଲେ । ୨୫ ବର୍ଷରୁ କମ୍ ଷ୍ଟେଟ୍-ଏ’ ଟ୍ରଫିରେ ସେ ୧୮୪ ରନ୍ କରିବା ସହ ୧୨ଟି ୱିକେଟ୍ ନେଇ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଚୟନକର୍ତ୍ତାମାନଙ୍କୁ ପ୍ରଭାବିତ କରିପାରିଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ୍ରେ ଅଦ୍ୟାବଧି ୧୩ଟି ମ୍ୟାଚ୍ ଖେଳି ୧୫ ପଏଣ୍ଟ୍ ସହ ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହିଛି । ଦଳ ଆସନ୍ତା ଶନିବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସଠାରେ ଘରୋଇ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବାକୁ ଥିବାବେଳେ ପ୍ଲେଅଫ୍ରେ ପହଞ୍ଚିବାକୁ ହେଲେ ଏହାକୁ ଉକ୍ତ ମ୍ୟାଚ୍ରେ ବିଜୟୀ ହେବାକୁ ପଡ଼ିବ ।