ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୩ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଉଜ୍ବେକିସ୍ତାନରେ ଏଏଫ୍ସି ୱିମେନ୍ସ ଅଲିମ୍ପିକ୍ କ୍ୱାଲିଫାୟର୍ସ ରାଉଣ୍ଡ୍-୨ ଖେଳାଯିବ । ଚଳିତ ବର୍ଷ ପ୍ରାରମ୍ଭରେ ଦୁଇ ଚରଣ ବିଶିଷ୍ଟ ପ୍ଲେଅଫ୍ରେ କିର୍ଗିଜ୍ ରିପବ୍ଳିକ୍କୁ ୫-୦ ଓ ୪-୦ରେ ପରାସ୍ତ କରି ଭାରତ ଏହି ପର୍ଯ୍ୟାୟରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି । ତେବେ କ୍ୱାଲିଫାୟର୍ସ ରାଉଣ୍ଡ୍-୨ରେ ଭାରତକୁ କଷ୍ଟସାଧ୍ୟ ଗ୍ରୁପ୍ରେ ସ୍ଥାନ ମିଳିଛି ।
ଦଳ ଗ୍ରୁପ୍-ସି’ରେ ରହିଥିବା ବେଳେ ଏଥିରେ ଆୟୋଜକ ଉଜ୍ବେକିସ୍ତାନ ସହ ଜାପାନ ଓ ଭିଏତ୍ନାମ ରହିଛନ୍ତି । ୨୦୧୨ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଜାପାନ ଏହି ଗ୍ରୁପ୍ର ସବୁଠାରୁ ଶକ୍ତିଶାଳୀ ଦଳ ଏବଂ ଭାରତ ସର୍ବନିମ୍ନ ର୍ୟାଙ୍କ୍ର ଦଳ । ଜାପାନ ଏକାଦଶ ସ୍ଥାନରେ ରହିଥିବା ବେଳେ ଭାରତ ଫିଫା ର୍ୟାଙ୍କିଙ୍ଗ୍ରେ ୬୧ତମ ସ୍ଥାନରେ ରହିଛି । ସେହିପରି ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଫିଫା ମହିଳା ବିଶ୍ୱକପ୍ରେ ଡେବ୍ୟୁ କରିବାକୁ ଥିବା ଭିଏତ୍ନାମ ଓ ଆୟୋଜକ ଉଜ୍ବେକିସ୍ତାନ ଫିଫା ର୍ୟାଙ୍କିଙ୍ଗ୍ରେ ଯଥାକ୍ରମେ ୩୩ତମ ଓ ୫୦ତମ ସ୍ଥାନରେ ରହିଛନ୍ତି ।