କଟକ: ଏକ ଫ୍ରିଜ୍ କିଣିବାକୁ ବଜାଜ୍ ଫାଇନାନ୍ସରୁ ଋଣକରି ଧାର୍ଯ୍ୟସମୟ ପୂର୍ବରୁ ଋଣ ଶୁଝିବା ପରେ ବି ଫାଇନାନ୍ସ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ନୋ-ଡ୍ୟୁଜ୍ସାର୍ଟିଫିକେଟ୍ ନଦେବା ଓ ଚେକ୍ ବାଉନ୍ସ ପାଇଁ ଜୋରିମାନା ମାଗିବା ନେଇ ଖାଉଟି ଅଦାଲତରେ ହୋଇଥିବା ମାମଲାର ବିଚାର କରି ଗ୍ରାହକଙ୍କୁ କ୍ଷତିପୂରଣ ବାବଦ ୧ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ଖାଉଟି ଅଦାଲତ ବଜାଜ୍ ଫାଇନାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ କଟକ ରାଜେନ୍ଦ୍ର ନଗରର ପୂର୍ବତନ ଜିଲ୍ଲାଜଜ୍ ପୀତାମ୍ବର ପାତ୍ର ୨୦୧୯ରେ ଏକ ଫ୍ରିଜ୍ କିଣିବା ପାଇଁ ବଜାଜ୍ ଫାଇନାନ୍ସ କମ୍ପାନୀରୁ ୧୩ ହଜାର ୭୦୦ ଟଙ୍କା ଋଣ କରିଥିଲେ । ଏ ବାବଦକୁ ୯ଟି କିସ୍ତିରେ ମାସକୁ ୧୫୨୩ ଟଙ୍କା ଦେବା ପାଇଁ ଧାର୍ଯ୍ୟ ହୋଇଥିଲା ।
ଅଗ୍ରୀମ ବାବଦ ୩ଟି କିସ୍ତିର ୪ ହଜାର ୫୬୯ ଟଙ୍କା ଶ୍ରୀ ପାତ୍ରଙ୍କଠାରୁ ଫାଇନାନ୍ସ କମ୍ପାନୀ ନେଇଥିଲା । ଆଉ ୬ଟି କିସ୍ତିର ଶେଷ ତାରିଖ ୨୦୨୦ ମାର୍ଚ୍ଚ ୨ତାରିଖ ଥିଲା । ମାତ୍ର ବଜାଜ୍ ଫାଇନାନ୍ସ କମ୍ପାନୀ ଶ୍ରୀ ପାତ୍ରଙ୍କୁ ବାରମ୍ବାର ଫୋନ୍କରି ବ୍ୟସ୍ତ କରିବାରୁ ଶ୍ରୀ ପାତ୍ର ମାର୍ଚ୍ଚ ମାସ ଯାଏ ସମସ୍ତ ଧାର୍ଯ୍ୟ କିସ୍ତିର ଦୁଇମାସ ପୂର୍ବରୁ ସବୁ କିସ୍ତି ପରିଶୋଧ କରି ନୋ-ଡ୍ୟୁଜ୍ସାର୍ଟିଫିକେଟ୍ ମାଗିଥିଲେ । କିନ୍ତୁ ସାର୍ଟିଫିକେଟ୍ ଦେବା ବଦଳରେ କମ୍ପାନୀ ପକ୍ଷରୁ ତାଙ୍କୁ ୩ଟି ଚେକ୍ବାଉନ୍ସ ହୋଇଥିବା ନେଇ ପ୍ରତିଚେକ୍ ପାଇଁ ୪୫୦ଟଙ୍କା ଲେଖାଏଁ ମୋଟ ୧୩୫୦ ମାଗିଥିଲେ । ଏନେଇ ଶ୍ରୀ ପାତ୍ର ୨୦୨୧ରେ କଟକର ଖାଉଟି ଅଦାଲତରେ ବଜାଜ୍ ଫାଇନାନ୍ସ ବିରୋଧରେ ୧୪/୨୦୨୧ରେ ମାମଲା ରୁଜୁ କରିଥିଲେ । ଦୀର୍ଘ ୨ବର୍ଷ ପରେ ଗତ ୩ ତାରିଖରେ ମାମଲାର ଅନ୍ତ ଘଟାଇ ଅଦାଲତ କ୍ଷତିପୂରଣ ବାବଦ ୧ଲକ୍ଷ ଟଙ୍କା ଶ୍ରୀ ପାତ୍ରଙ୍କୁ ଦେବାକୁ ବଜାଜ୍ ଫାଇନାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପାତ୍ରଙ୍କୁ ମାନସିକ ଚାପଦେଇ ହଇରାଣ କରିଥିବାରୁ ମାନ୍ୟବର ରାଜ୍ୟ ଖାଉଟି ଅଦାଲତ ଏହି କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ।