ମୟୁରଭଞ୍ଜ: ବଜ୍ରପାତରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢୋଳ ଗ୍ରାମର ହିକେଇସାହିରେ । ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଣୀପାଳ ଗ୍ରାମର ସିଦ୍ଧ ମାରାଣ୍ଡିଙ୍କ ସହିତ ସୁଣ୍ଢୋଳ ଗ୍ରାମ ହିକେଇ ସାହି ର ସାଙ୍ଖୋ ମାରାଣ୍ଡିଙ୍କ ଝିଅ ବବିତା ମାରାଣ୍ଡିଙ୍କ ବିବାହ ଚାରି ପାଞ୍ଚ ମାସ ପୂର୍ବରୁ ସାନ୍ତାଳୀ ରୀତିନୀତିରେ ହୋଇଥିଲା । ତେବେ ଆସନ୍ତା ୯ ତାରିଖ ସାନ୍ତାଳୀ ପରମ୍ପରା ଅନୁଯାୟୀ ସୁଣ୍ଢୋଳ ଗ୍ରାମ ହିକେଇସାହିରେ ପ୍ରାଇଜ୍ ଖାଇବା ଭୋଜି ଆୟୋଜନ ହୋଇଥିବା ବେଳେ ବବିତା ମାରାଣ୍ଡି ମାଆ ଘର ହିକେଇସାହିକୁ କିଛି ଦିନ ପୂର୍ବରୁ ଆସିଥିଲେ ।
ତେବେ ଆଜି ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ହୋଇଥିଲା ଓ ତା ସହିତ ପ୍ରବଳ ବିଜୁଳି ଓ ଘଡଘଡି ହେଉଥିଲା । ସେହି ସମୟରେ ବବିତା ମାଆ ଘରେ ଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଅଚେତ ଅବସ୍ଥାରେ ଘର ଭିତରେ ପଡି ରହିଥିଲେ । ପରିବାର ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗୋରୁମହିଷାଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଗୋରୁମହିଷାଣି ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।